
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପକ୍ଷରୁ ଥାନା ଗୃହରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଆଖ ପାଖ ଅଞ୍ଚଳରେ ଥିବା ମୁଖ୍ୟ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ଲୋକଙ୍କ ଅନେକ ସମସ୍ୟା ରହିଛି । ସେଇ ସବୁ ସମସ୍ୟାର ସମାଧାନ କିପରି କରାଯାଇ ପାରିବ ପୋଲିସ ଓ ଅଞ୍ଚଳବାସୀ ମିଳିମିଶି ଆପୋଷ ବୁଝାମଣା ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରିପାରିବେ ସେନେଇ ବୈଠକରେ ସରପଞ୍ଚ ଓ ସମିତି ସଭ୍ୟ, ସାମ୍ୱାଦିକ ବନ୍ଧୁ ମତ ବ୍ୟକ୍ତ କରିଥିଲେ । ଚିତ୍ରକୋଣ୍ଡା ଆଇ.ଆଇ.ସି. ମୁକୁନ୍ଦ ମେଳାକା ପୋଲିସକୁ ଭୟ ନକରି ନିଜର ସମସ୍ୟା ପୋଲିସ ନିକଟରେ ଜଣାନ୍ତୁ ବୋଲି ଲୋକଙ୍କୁ ବୈଠକରେ ଉତ୍ସାହିତ କରିଥିଲେ। ଆଜି କାଲି ବହୁଳ ଭାବେ ଚାଲିଥିବା ଅନ ଲାଇନ ଠକେଇ ଠାରୁ କିପରି ଦୂରରେ ରହିବେ ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରା ଯାଇଥିଲା । ଏହି ଅଞ୍ଚଳରେ ଚାଲିଥିବା ଗଞ୍ଜେଇ ଚାଷ ପାଇଁ ଲୋକେ ଯେତିକି ପରିଶ୍ରମ କରୁଛନ୍ତି ସେତିକି ପରିଶ୍ରମରେ ଅନ୍ୟ ଫଳ, ପନି ପରିବା ଚାଷ କରି ଅଧିକ ଲାଭବାନ ହୋଇପାରିବେ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ମତବ୍ୟକ୍ତ କରିଥିଲେ। ଲୋକେ ଗୁଣି ଗାରିଡ଼ି ଠାରୁ ଦୂରରେ ରହି ନିଜ ସ୍ୱାସ୍ଥ୍ୟ ସମସ୍ୟାରେ ଡାକ୍ତରଙ୍କୁ ପରାମର୍ଶ କରିବା ସହ ନିକଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ସଚେତନ କରିଥିଲେ। ଏହି ବୈଠକରେ ଚିତ୍ରକୋଣ୍ଡା ଆଇ.ଆଇ.ସି. ମୁକୁନ୍ଦ ମେଲେକା, ଓ.ଆଇ.ସି. ଅନିଲ କୁମାର ପରିଡା,ଏସ.ଆଇ. ବିଜୟ କୁମାର ମାଝୀ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ରାଲେଗାଡ଼ା ସରପଞ୍ଚ କମୁଲୁ ହନ୍ତାଳ, ବରିଷ୍ଠ ନାଗରିକ ରଘୁ ଖରା,ଚିତ୍ରକୋଣ୍ଡା ସାମ୍ବାଦିକ ସଂଘର ରତ୍ନାକର ପ୍ରଧାନ, ବଳରାମ ପଢ଼ିଆରୀ,ଦେବେନ୍ଦ୍ର ସାହୁ,ଭୋଳାନାଥ ମଳିକ, ସତ୍ୟ ମିଶ୍ର, ହରିବନ୍ଧୁ ଗତନ, ଗୁରୁଚରଣ ଘଡେଇ, ଅଞ୍ଚଳର ସମସ୍ୟାର ସମାଧାନ କିପରି କରାଯିବ ସେନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।