
ବ୍ରହ୍ମପୁର : ଗୋସାଣିନୂଆଗାଁ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଚଳିତ ମାସ ୧୬ ତାରିଖରେ ଖଜୁରିଆ ଜାତୀୟ ରାଜପଥ ସ୍ଥିତ ବଜରଙ୍ଗି କମ୍ପ୍ଲେସ ନିକଟରେ ଥିବା ଏକ ଲଜିଷ୍ଟିକ ଗୋଦାମରୁ ୨ ଲକ୍ଷ ୫୦ହଜାର ଟଙ୍କାର ବିଭିନ୍ନ ମୋବାଇଲଚୋରି ଘଟଣାରେ ଆଜି ଗୋସାଣିନୂଆଗାଁ ଥାନା ପୁଲିସ ଦୁଇ ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଗୋଦାମର ସେଲସ ମ୍ୟାନ୍ ତଥା ଗୋସାଣିନୂଆଗାଁ ଶକ୍ତି ନଗର ଅଞ୍ଚଳର ଜି.ନରେଶ (୨୧) ଓ ଗେଟ୍ ବଜାର ମୋଚି ସାହିର ଏସ୍. ଅଜୟ କୁମାର (୨୨) । ସେମାନଙ୍କ ନିକଟରୁ ପୁଲିସ ୧୩୬ ଫୋନ୍ ଓ ୪ଟି ଚାର୍ଜର ଜବତ କରିବା ସହ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୬ ଦିନ ଖଜୁରିଆ ଜାତୀୟ ରାଜପଥ ନିକଟରେ ଥିବା ଏକ ଲଜିଷ୍ଟିକ ଗୋଦାମରୁ ବିଭିନ୍ନ ବ୍ରାଣ୍ଡର ୧୩୬ ମୋବାଇଲ୍ ଫୋନ୍ ଓ ୪ଟି ଚାର୍ଜର ଚୋରି ହୋଇଥିବା ନେଇ କମ୍ପାନୀର ମ୍ୟାନେଜର ବିରୁପକ୍ଷ ଦାଶ ଗୋସାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ କେସ ନଂ ୯/୨୩ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ୨ ଲକ୍ଷ ୫୦ ହଜାର ହେବ ବୋଲି ଅଭିଯୋଗ ହୋଇଥିଲା। ୧୫/୧୬ ରାତ୍ର ୧.୫୦ମିନିଟ୍ ସମୟରେ ଲଜିଷ୍ଟିକ ଗୋଦାମରେ ସେଲସ ମ୍ୟାନ୍ ଭାବେ କାମ କରୁଥିବା ଜି.ନରେଶ କାର୍ଯ୍ୟାଳୟ ଭିତରକୁ ପଶି ଏହି ସାମଗ୍ରୀ ଚୋରି କରିଥିଲେ । ଏଥିରେ ନରେଶଙ୍କୁ ତାଙ୍କ ସାଙ୍ଗ ଏସ ଅଜୟ କୁମାର ସହଯୋଗ କରିଥିଲେ । ଚୋରି ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ସକାଳୁ କମ୍ପାନୀର କର୍ମଚାରୀ ଫାଟକ ଖୋଲିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହି ଘଟଣାରେ ପୁଲିସ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ କହିଛନ୍ତି ।