ବିଶ୍ରା, ଲାଠିକଟା ଏବଂ ଲହୁଣୀପଡ଼ା ବ୍ଲକରେ ଟ୍ରଫି ଟୁରକୁ ସ୍ୱାଗତ…

add-all

ସୁନ୍ଦରଗଡ଼,/ରାଉରକେଲା : ୨୧ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ୍ ଟ୍ରଫିକୁ ଉତ୍ସାହ ସହକାରେ ସ୍ୱାଗତ କରାଯାଉଛି। ଟ୍ରଫି ଆଜି ବିଶ୍ରା, ଲାଠିକଟା ଏବଂ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ପରିକ୍ରମା କରିଥିଲା। ସ୍ଥାନୀୟ ଛାତ୍ରଛାତ୍ରୀ, ଯୁବପିଢ଼ି, ସାଧାରଣ ଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିମାନେ ଯୋଗଦେଇ ଟ୍ରଫି ଟୁରକୁ ସ୍ୱାଗତ କରିଥିଲେ।

ବିଶ୍ରା ବ୍ଲକର ସନ୍ତୋଷପୁର ଏବଂ କପାଟମୁଣ୍ଡା ଗ୍ରାମପଞ୍ଚାୟତରେ ହକି ବିଶ୍ୱକପ୍ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରାଯାଇଥିଲା। ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସ୍ଥାନୀୟ ଜନସାଧାରଣ ଟ୍ରଫିକୁ ପାଛୋଟି ନେଇଥିଲେ। ଆଦିବାସୀ ନୃତ୍ୟ, ସଙ୍ଗୀତରେ ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା।

ହକି ବିଶ୍ୱକପ୍ ଟ୍ରଫି ଟୁରକୁ ଆଜି ଲାଠିକଟା ବ୍ଲକର ଗର୍ଜନ, ବିରକେରା, ଜଡ଼କୁଦର ପଂଚାୟତରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପିତାମହଲ ଡ୍ୟାମ ପାଖରେ ଗୁଡ଼ି ସୋ’ କରାଯାଇଥିବା ବେଳେ ବିରକେରାସ୍ଥିତ ହକି ଅଭ୍ୟାସ କେନ୍ଦ୍ରଠାରେ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଖେସ୍, ବିଡିଓ ମନସ୍ୱିନୀ ଦାସ ଯୋଗଦେଇ ଟ୍ରଫିକୁ ସ୍ୱାଗତ କରିଥିଲେ। ସେଠାରେ ସ୍ଥାନୀୟ ମହିଳା ହକି ଖେଳାଳିମାନେ ହକି ଷ୍ଟିକ୍ ଧରି ଟ୍ରଫିକୁ ସମ୍ମାନ ଜଣାଇଥିଲେ। ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ଫ୍ୟାନ୍ସି ଡ୍ରେସ୍ କାର୍ଯ୍ୟକ୍ରମ କରାଯାଇଥିଲା। ଦୃଷ୍ଟିବାଧିତ ପିଲାମାନଙ୍କ ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣ ସାଜିଥିଲା।

ଲାଠିକଟାରୁ ଟ୍ରଫି ରାଜାମୁଣ୍ଡା ଦେଇ ଲହୁଣୀପଡ଼ା ବ୍ଲକ ଅଭିମୁଖେ ଯାଇଥିଲା। ଲହୁଣୀପଡ଼ା ବ୍ଲକରେ ମଧ୍ୟ ଟ୍ରଫିକୁ ଆନନ୍ଦ ଉଲ୍ଲାସର ସହ ସ୍ୱାଗତ କରାଯାଇଥିଲା। ଆତସବାଜି ପ୍ରଦର୍ଶନରେ ପରିବେଶ କମ୍ପିଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରାଙ୍କ ସହ ସ୍ଥାନୀୟ ବିଡିଓ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଖେଳାଳିମାନେ ହକି ଷ୍ଟିକ୍ ଧରି ସ୍ୱାଗତ କରିଥିଲେ। ଆସନ୍ତାକାଲି ଟ୍ରଫି ଟୁର୍ ଲହୁଣୀପଡ଼ାର ବଡ଼ ପୁରୁଣାପାଣିରୁ ଆରମ୍ଭ ହୋଇ କୋଇଡ଼ା ଏବଂ ବଣାଇଁଗଡ଼ ଅଭିମୁଖେ ଯିବ।

ad-week
Leave A Reply

Your email address will not be published.