ସୁନ୍ଦରଗଡ଼ (୧୦/୦୨) : ଓଡ଼ିଶାର କୋଣ ଅନୁକୋଣରେ ରହୁଥିବା ମହିଳା ଉଦ୍ୟୋଗୀ ଏବଂ ତାଙ୍କର ଛୋଟ ଛୋଟ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହିତ ଛୋଟ ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କୁ ଶିକ୍ଷିତ କରି ପ୍ରେରଣା ପୋଷଣ କରିବା ସହିତ ସେମାନଙ୍କ ପରିବାର ଏବଂ ସମ୍ପ୍ରଦାୟ ପାଇଁ ଏକ ନୂତନ ଭବିଷ୍ୟତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ” ମିତ” ନାମରେ ଏକ ମହିଳା ଅନୁଷ୍ଠାନ ସୁନ୍ଦରଗଡ଼ ସ୍ଥିତ ରଙ୍ଗାଢ଼ିପା ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସୁନ୍ଦରଗଡ଼ ପୌରପାଳିକା ଅଧ୍ୟକ୍ଷା ତନୟା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ “ମିତ” ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କ ଆର୍ଥିକ ବିକାଶ ପାଇଁ ଉଦବୋଧନ ଦେଇଥିଲେ। ଏହି ଅବସରରେ “ମିତ”ର ସଭାପତି ରୁଚିମିତ୍ରା ଜଗଦେବ ମହାପାତ୍ର “ମିତ”ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଅଗ୍ରଣୀ ଅନୁଷ୍ଠାନ “ନାଓ”, ଭୁବନେଶ୍ୱରରୁ ବିଶାଖା ଭଞ୍ଜ, ଆଇନା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ନେହ ଉପସ୍ଥିତ ରହି “ମିତ” ଜରିଆରେ ଛୋଟ ଛୋଟ ମହିଳା ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କ ବ୍ୟବସାୟକୁ ଅଧିକରୁ ଅଧିକ ବ୍ୟାପକ କରି ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ବିକ୍ରୟ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାର ବିଭିନ୍ନ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ “ମିତ”ର ସଦସ୍ୟ ସମିମା ବେଗମ୍, ରୁଚିମତ୍ରା ଜଗଦେବ ମହାପାତ୍ର, ସଂଘମିତ୍ରା ଦୁବେ, ଅହଲ୍ୟା ସା, ସନା ବାନୋ, ପୁଷ୍ପାଞ୍ଜଳି ଖଣ୍ଡାୟତ ପରିଚାଳନା କରିଥିଲେ। ଏହି ଅବସରରେ ମହିଳା ଉଦ୍ୟୋଗୀଙ୍କ ଦ୍ଵାରା ନିର୍ମିତ ହାତ ତିଆରି ବ୍ୟାଗ୍, କାନଫୁଲ, ମନିପର୍ସ୍, ଧୁପକାଠି, ସାବୁନ, ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯଥା କେକ୍, ବିସ୍କୁଟ, ମିକ୍ସ୍ଚର୍, କୁଲଫି ଏବଂ ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ମାଣ୍ଡିଆ, ମାଣ୍ଡିଆ ଗୁଣ୍ଡ, ଗଙ୍ଗେଇ, ସୁଆଁ, ଗୁଲଚି, କଦୋ କୋଳଥ ଡାଲି,ମୁଗ ଡାଲି ଆଦି ଉପସ୍ଥାପନା ଷ୍ଟଲରେ କରାଯାଇଥିଲା।
