ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ…

add-all

ମୋହନା : ରୋଗୀ ସହ ଆମ୍ୱୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ! ଆଜି ଏପରି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ। ପୁଲିସ୍‌ ଆମ୍ୱୁଲାନ୍ସ ଡ୍ରାଇଭର ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍‌ ଆଜି ଯୋଡ଼ାଆମ୍ବ ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ଯା’ଆସ କରୁଥିବା ଗାଡ଼ି ଗୁଡ଼ିକୁ ଯାଞ୍ଚ କରୁଥିଲା। ସେହି ସମୟରେ ଗୋଟିଏ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୭ କେଜି ଗଞ୍ଜେଇ ବାହାରିଥିଲା। ପୁଲିସ୍‌ ଏହି ମାମଲାରେ ଆମ୍ୱୁଲାନ୍ସ ଚାଳକ ଓ ଦୁଇ ଜଣ ରୋଗୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ଅମ୍ୱୁଲାନ୍ସଟି ଢେଙ୍କାଆମ୍ବ ଗାଁରୁ ରୋଗୀ ଧରି ବ୍ରହ୍ମପୁର ଯାଉଥିବା ବେଳେ ପୁଲିସ୍ ହାବୁଡ଼ରେ ପଡ଼ିଛି। ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆମ୍ବୁଲାନ୍ସରେ ଥିବା ଗୁରୁତର ରୋଗୀଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.