
ମାଲକାନଗିରି (୩/୩): ମାଲକାନଗିରି ଜିଲ୍ଲାରେ ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂ ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାର ସର୍ବପ୍ରଥମେ ମାଲକାନଗିରି ଜିଲ୍ଲାରେ ଗତ ଜୁଲାଇ ୨୦୨୧ ରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ କରାଯାଇ ଆସୁଅଛି। ଏହା ଖାଉଟି ମାନଙ୍କୁ ଭିଟାମିନଯୁକ୍ତ ଚାଉଳର ଉପକାରିତା ଓ ରନ୍ଧନ ପ୍ରଣାଳୀ ବିଷୟରେ ସଚେତନ କରାଇବ ବୋଲି କହିଛନ୍ତି।ଏହି ଚାଉଳରେ ଲୌହ, ଫଲିକ ଏସିଡ ଓ ଭିଟାମିନ ବି ୱାନ ପରି ସୂକ୍ଷ୍ମ ପୋଷକତତ୍ତ୍ଵ ରହିଛି। ଏହି ପୋଷକତତ୍ତ୍ଵ ରକ୍ତହୀନତା ଓ ପୁଷ୍ଟିହୀନତା ଭଳି ରୋଗରୁ ରକ୍ଷା କରିଥାଏ।ଏହି ଚାଉଳକୁ ଜଳ ସହିତ ସମ ପରିମାଣରେ ରାନ୍ଧିବାକୁ ହୋଇଥାଏ ଓ ବଳକା ଜଳକୁ ଫୋପାଡ଼ିବା ଉଚିତ୍ ନୁହେଁ। ଏହି ଉତ୍ସବରେ ବିଶ୍ବ ଖାଦ୍ୟ ସଂଗଠନର ବରିଷ୍ଠ ପ୍ରକଳ୍ପ ସହାୟକ, ଶ୍ରୀମତୀ ମୋନା ଜେଠୱା, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ତ୍ରିନାଥ ମାଝୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅଜୟ କୁମାର ରଥ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଆର ହୟଗ୍ରୀବ ନନ୍ଦଗିରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସହାୟକ ଜିଲ୍ଲା ଯୋଗାଣ ଅଧିକାରୀ, ପ୍ରଦୀପ ଦାସ, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ମିଶନ ଶକ୍ତିର ସଦସ୍ୟାମାନେ ଉପସ୍ଥିତ ଥିଲେ।