
ସୁନ୍ଦରଗଡ଼ : ସ୍ୱାବଲମ୍ବୀ ଭାରତ ଅଭିଯାନ, ସୁନ୍ଦରଗଡ଼ ଜିଲ୍ଲା ପକ୍ଷରୁ ରୋଜଗାର ସୃଜନ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି l ସ୍ଥାନୀୟ ବିଜୟ ଟକିଜ୍ ରୋଡ ନିବାସୀ ଲିଲାଧର କାଲୋଙ୍କ ତଳମହଲାରେ ଏହାର କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି l ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଡି.ଆଇ.ସି ଜେନେରାଲ ମ୍ୟାନେଜର ଗୋରେଖାନନ୍ଦ ନାଏକ, ଡି.ଆଇ.ସିର ଅବସର ପ୍ରାପ୍ତ ଜେନେରାଲ ମ୍ୟାନେଜର ବାଣେଶ୍ୱର ସୁବୁଦ୍ଧି , ଚିଫ ମ୍ୟାନେଜର , ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ ଏ.ଡି.ବି ଚିଫ୍ ମେନେଜର ପ୍ରଫୁଲ୍ଲ କୁମାର ସାହୁ ଏବଂ ଡାକ୍ତର ବିଦ୍ୟାଧର ରଣା ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଡାକ୍ତର ନାରାୟଣ ପଟେଲ ପରିଚାଳନା କରିଥିଲେ। ସ୍ବାବଲମ୍ବୀ ଭାରତ ଅଭିଯାନ ଦାୟିତ୍ୱରେ ଥିବା ମହେଶ୍ବର ବେହେରା ଏହି ଅଭିଯାନ ଏବଂ ଜିଲ୍ଲା ରୋଜଗାର କେନ୍ଦ୍ର ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଭାରତ ବର୍ଷକୁ ପୂର୍ଣ୍ଣ ରୋଜଗାରଯୁକ୍ତ , ଶୂନ୍ୟ ଦାରିଦ୍ର୍ୟତା ତଥା ମଜବୁତ୍ ଅର୍ଥନୀତି ନିର୍ମାଣ ପାଇଁ ସ୍ବାବଲମ୍ବୀ ଭାରତ ଅଭିଯାନ ସାରା ଭାରତରେ କାର୍ଯ୍ୟ କରୁଛି। ଦେଶର ଯୁବବର୍ଗ ଦେଶର ସମସ୍ତ ସମ୍ବଳକୁ ବ୍ୟବହାର କରି ଷ୍ଟାର୍ଟ ଅପ ମାଧ୍ୟମରେ କେମିତି ଆଗକୁ ବଢିବେ ସେଥିପାଇଁ ପରାମର୍ଶ ଦିଆଯାଉଛି। ଚାକିରି ପଛରେ ନପଡ଼ି ଜଣେ କେମିତି ଚାକିରି ପ୍ରଦାନକାରୀ ହେବ ସେଇ ମାନସିକତା ପ୍ରସ୍ତୁତ ଅଭିଯାନର ଲକ୍ଷ। ଆହୁରି ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀ ମାନଙ୍କ ନିମନ୍ତେ ରୋଜଗାର ସୁଯୋଗ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଏକ ସ୍ୱାବଲମ୍ବୀ ଜିଲ୍କା ଗଠନ ନିମନ୍ତେ ସ୍ୱାବଲମ୍ବୀ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ନେଇ ଏହି ରୋଜଗାର ସୃଜନ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଡାକ୍ତର ରଣା ମଧ୍ୟ ରୋଜଗାର କେନ୍ଦ୍ର ନେଇ ନିଜର ବିଷୟ ରଖିଥିଲେ।
ଡି.ଆଇ.ସି ଜେନେରାଲ ମ୍ୟାନେଜର ନିଜ ଅଭିଭାଷଣରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ବିଷୟ ରଖିଥିଲେ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଏ.ଡି.ବି ଶାଖାର ଚିଫ୍ ମ୍ୟାନେଜର ବ୍ୟାଙ୍କ ମାଧ୍ୟମରେ ମିଳୁଥିବା ଋଣ ବିଷୟ ଆଲୋଚନା କରିଥିଲେ । ଶେଷରେ ଅଭିଯାନ ର ସମନ୍ଵୟକ ପଙ୍କଜ ଠାକୁର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ପୂଜାପାଠ ପୂର୍ବକ ଜିଲ୍ଲା ରୋଜଗାର କେନ୍ଦ୍ରର ଶୁଭାରମ୍ଭ ହେଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହ ସମନ୍ଵୟକ ଅନିତା ମେହେର, ସୀତାରାମ ମେହେର, ବିଜୟ ପଟେଲ ,ସୂର୍ଯ୍ୟ ନାରାୟଣ ମହାପାତ୍ର, ରତ୍ନାକର ବେହେରା , ରୁପେଶ ପଟେଲ,ରାଜେନ୍ଦ୍ର ଅଗ୍ରୱାଲ,ଧରଣୀଧର ପଟେଲ, ହିରନ୍ୟ ମହାନ୍ତ, ଜନାର୍ଦ୍ଦନ ଦାସ ଏବଂ ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।