
ଫୁଲଵାଣୀ : ଦେଶରେ ସ୍ବାଧୀନତାର ଅମୃତ ମହୋତ୍ସବ ଚାଲିଥିବା ବେଳେ ଆଜି ବି କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି । ଶିକ୍ଷା, ସ୍ବୀ, ଗମନାଗମନ ଭଳି କୌଣସି ସୁବିଧା ଏ ସବୁ ଅଞ୍ଚଳରେ ପହଞ୍ଚି ପାରି ନାହିଁ। ଏପରିକି ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନିର୍ମାଣ ହୋଇ ପାରି ନାହିଁ। ରୋଗ ବୈରାଗ ହେଲେ ଗାଁକୁ ଆସି ପାରୁନି ଆମ୍ବୁଲାନ୍ସ। ଭାର କରି ବୋହି ନେବାକୁ ପଡୁଛି ରୋଗୀକୁ, ସେହିଭଳି ଡାକ୍ତରଖାନାରେ କେହି ମୃତ୍ୟୁ ବରଣ କଲେ ଗାଁରେ ଶବ ପହଞ୍ଚାଇବା ମଧ୍ୟ କାଠିକର ପାଠ ହେଉଛି। ଏଭଳି ଜକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଖଜୁରୀପଡା ବ୍ଲକ ବିଲାବାଡି ପଞ୍ଚାୟତରେ। ଏହି ପଞ୍ଚାୟତ ଅନ୍ତର୍ଗତ ସମାପାଜୁ ଗ୍ରାମର ରୋହିତ କହଁର ଶୁକ୍ରବାର ସଦର ଥାନା ତୁଡିପାଜୁ ଘାଟିରେ ଏକ ବାଇକ ଦୁର୍ଘଟଣାର ଶୀକାର ହୋଇ ଫୁଲବାଣୀ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ମୃତ୍ୟୁ ବରଣ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ମୃତଦେହ ଗାଁକୁ ନେବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ସମ୍ପର୍କୀୟ। ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଥିବା ମହାପ୍ରୟାଣ ଗାଡି ସହ ଯୋଗାଯୋଗ କରିବାରେ ଏହା ଖରାପ ଥିବା ଜଣାପଡିଥିଲା। ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଏକବେସରକାରୀ ଗାଡି ଭଡା କରି ଗାଁକୁ ଶବ ନେଇଥିଲେ। ସୂଚନା ଯୋଗ୍ୟ, ଫୁଲବାଣୀରୁ ବିଲାବାଡି ପଞ୍ଚାୟତ ସମାପାଜୁ ଗ୍ରାମ ୫୦ କିମି ଦୂର ହୋଇଥିବା ବେଳେ ପଞ୍ଚାୟତ ମୂଖ୍ୟାଳୟ ବିଲାବାଡି ଠାରୁ ୮ କିମି ଦୂରରେ ରହିଛି। କିନ୍ତୁ ଏହି ୮ କିମି ଯିବାପାଇଁ କୌଣସି ରାସ୍ତା ନାହିଁ। ବାଟରେ କରଡାବଣି ଓ ଟିକିରାସାହି ନାଳ ରହିଛି, ନାଳ ଉପରେ ପୋଲ ନ ଥିବାରୁ ଗାଡି ଯାଇ ପାରୁ ନାହିଁ। ଫଳରେ ପରିବାର ଲୋକେ ବାଧ୍ୟ ହୋଇ ବୌଦ୍ଧ ଜିଲ୍ଲା ଚାରିଛକ ଦେଇ ପ୍ରାୟ ୯୦ କିମି ରାସ୍ତା ଅତିକ୍ରମ କରି ରୋହିତଙ୍କ ମୃତଦେହ ଗାଁକୁ ନେଇଥିଲେ। ଏପଟେ ମଧ୍ୟ ଗାଁ ଠାରୁ ଅଧ କିମି ଦୂରରେ ରହିଥିବା ବଡନାଳ ପାଖରେ ରହିଥିଲା ଗାଡି । ସେଠାରୁ କାନ୍ଧରେ ବୋହି ସମ୍ପର୍କୀୟ ମାନେ ଶବକୁ ଘର ପର୍ଯ୍ୟନ୍ତ ନେଇଥିଲେ। ଦୀର୍ଘ ଦିନରୁ ଏଭଳି ସମସ୍ୟା ଭୋଗ କରୁଥିବା କହିଛନ୍ତି ବିଲାବାଡି ସରପଞ୍ଚ ରବୀନ୍ଦ୍ର ଭୂକ୍ତା। ଏ ସମସ୍ୟା ସମ୍ପର୍କରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯାଇଥିଲେ ବି କୌଣସି ଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି ସରପଞ୍ଚ। ସୂଚନାଯୋଗ୍ୟ, ଗମ ୨୦୧୮ ମସିହାରେ ତତ୍କାଳୀନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ବିଲାବାଡି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ବଦଳି ନାହିଁ ଏହି ଦୁର୍ଗମ ପଞ୍ଚାୟତର ଭାଗ୍ୟ। ଶିକ୍ଷା,ସ୍ବାସ୍ଥ୍ୟ, ଗମନାଗମନ ସବୁ ଦୃଷ୍ଟିରୁ ପଛୁଆ ଏହି ଅଞ୍ଚଳ ଆଜି ପର୍ଯ୍ୟନ୍ତ ଏକ ବିଚ୍ଛିନ୍ନାଞ୍ଚଳ ହୋଇ ରହିଛି।