ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲା ପ୍ରମାଣ ଅଭାବରୁ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

add-all

ବ୍ରହ୍ମପୁର : ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ନ ମିଳିବାରୁ ସେ ଦୁଇ ଜଣ ଯୁବକଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ସଦର ଥାନା ଅଞ୍ଚଳର ସୀମାଞ୍ଚଳ ଦାସ (୩୫) ଓ ସନିଆ ଦାସ (୩୨)
୨୦୧୯ ଡ଼ିସେମ୍ବର ୪ରେ ଜଣେ ନାବାଳିକା ଘରେ ଏକାକୀ ଥିଲେ। ଉକ୍ତ ଗ୍ରାମର ସୀମାଞ୍ଚଳ ଓ ସନିଆ ସମ୍ପୃକ୍ତ ନାବାଳିକାଙ୍କ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ଦେଶ୍ୟରେ ଟଣା ଓଟରା କରିଥିଲେ। ହେଲେ ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଉଭୟ ଯୁବକ ବ୍ଲେଡ଼ରେ ନାବାଳିକାଙ୍କ ଦୁଇ ହାତକୁ କାଟି ହତ୍ୟା ଉଦ୍ୟମ କରିଥିଲେ।
ପୀଡ଼ିତାଙ୍କ ମା କାମରୁ ଫେରିବା ପରେ ସେ ଜାଣିପାରିଥିଲେ । ପୀଡ଼ିତାଙ୍କ ମା’ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ୩୩୪/୧୯ ରେ ଏକ ମାମଲା ରୁଜୁ କରି ଉପରୋକ୍ତ ଉଭୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମାମଲାର ବିଚାର ବେଳେ ୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସୋମବାର ଏହି ମାମଲାର ଶୁଣାଣି ବେଳେ ଉକ୍ତ ଦୁଇ ଯୁବକଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜଜ ଏହାର ଶୁଣାଣି କରି ପ୍ରମାଣ ଅଭାବରୁ ସେମାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।
ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରି ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ମହାରଣା ଓ ଶ୍ୟାମ ସୁନ୍ଦର ନାୟକ ମକଦ୍ଦମା ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.