
ଫୁଲବାଣୀ:-ଡାକ ବିଭାଗରେ ଚାକିରୀ ପାଇଁ ଜାଲ ଶିକ୍ଷା ପ୍ରମାଣପତ୍ର ଦାଖଲ କରି ଆବେଦନ କରିଛନ୍ତି ପ୍ରାର୍ଥୀ l ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି ଫୁଲବାଣୀ ଡାକ ମଣ୍ଡଳରେ l ଘଟଣା ଜଣା ପଡିବା ପରେ ଫୁଲବାଣୀ ଡାକ ମଣ୍ଡଳ ଅଧୀକ୍ଷକ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି l ସୂଚନା ଅନୁଯାୟୀ ଫୁଲବାଣୀ ଡାକ ମଣ୍ଡଳ ପକ୍ଷରୁ୮୫ ଟି ଶାଖା ପୋଷ୍ଟ ମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ଏହି ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ମାଟ୍ରିକ ପାସ ରହିଥିଲା, ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ଅନଲାଇନରେ ହୋଇଥିଲା lମାଟ୍ରିକ ପରୀକ୍ଷାର ମାର୍କ ଭିତ୍ତିରେ ଯୋଗ୍ୟ ପ୍ରାର୍ଥୀ ଚୟନ ପାଇଁ ବ୍ୟବସ୍ଥା ରହିଥିବା ବେଳେ ୮୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୭ ଜଣ ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ରହିଥିଲେ l ଏ ସମସ୍ତ ପ୍ରାର୍ଥୀଙ୍କ ମାଟ୍ରିକ ପ୍ରମାଣପତ୍ର ଯାଞ୍ଚ ପରେ ସେଥି ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ଜାଲ ବୋଲି ଜଣାପଡିଥିଲା l ସେଥିରୁ ୫ ଜଣ ଆଲ୍ଲାବାଦ ବୋର୍ଡରୁ ସାର୍ଟିଫିକେଟ ଆଣିଥିବା ବେଳେ ଜଣଙ୍କ ପାଖରେ NIOS(ଜାତୀୟ ମୁକ୍ତ ବିଦ୍ୟାଳୟ)ର ପ୍ରମାଣପତ୍ର ରହିଥିବା ଜଣାପଡିଛି l ଏହି ଜାଲିଆତି ବିଷୟ ଜଣାପଡିବା ପରେ ଫୁଲବାଣୀ ଡାକ ମଣ୍ଡଳ ଅଧୀକ୍ଷକ ଦେବୀ ପ୍ରସାଦ ନାୟକ ଗତକାଲି ସନ୍ଧ୍ୟାରେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି l ଅଭିଯୁକ୍ତ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଳାର ପ୍ରମୋଦ ସାହୁ , ଖୋର୍ଦ୍ଧାର ଶୁଭଙ୍କର ବେହେରା,କନ୍ଧମାଳର ମାନିନୀ ମାଝୀ, ପ୍ରମିତ କୁମାର ବେହେରା ଦଳେଇ ଏବଂ ଭଦ୍ରକ ଜିଲ୍ଲାର ନରେନ୍ଦ୍ର ମହାନ୍ତି ଆଲ୍ଲାବାଦ ରୁ ସାର୍ଟିଫିକେଟ ସଂଗ୍ରହ କରିଥିବା ବେଳେ ଖୋର୍ଦ୍ଧାର ପ୍ରହ୍ଲାଦ ବେହେରା NIOS ର ପ୍ରମାଣପତ୍ର ଦାଖଲ କରିଥିବା ଡାକ ଅଧୀକ୍ଷକ ଏତାଲାରେ ଦର୍ଶାଇଛନ୍ତି l ଏ ନେଇ ଫୁଲବାଣୀ ଟାଉନ ଥାନା ପୋଲିସ ୮୬/୨୦୨୩ ରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି ବୋଲି ଫୁଲବାଣୀ ଟାଉନ ଥାନା ଆଇ ଆଇ ସି ଅଶୋକ କୁମାର ଗିରି ସୂଚନା ଦେଇଛନ୍ତି l