ଓଡିଆ ଭାଷା ସୁରକ୍ଷା ଏବଂ ବ୍ୟାବହାରିକ ସଚେତନତା ଲାଗି ଗଞ୍ଜାମ ଜିଲ୍ଲା କୋଷାଗାରର ଅଭିନବ ପ୍ରୟାସ

add-all

ଛତ୍ରପୁର(୧୩.୦୪) ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା କୋଷାଗାର ଗଞ୍ଜାମ ତରଫରୁ ପ୍ରଥମ ମାର୍ଚ୍ଚ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କୋଷାଗାର ଦ୍ବାରା ଭାଷା ସୁରକ୍ଷା ଏବଂ ସଚେତନତା ଲାଗି କରାଯାଇଥିବା ନୂତନ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଗଞ୍ଜାମ ଜିଲ୍ଲା ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଭଳି ବରପୁତ୍ରମାନଙ୍କ ଜନ୍ମ ସ୍ଥାନ । ତେଣୁ ଯୁବପୀଢି ମାନଙ୍କୁ ଓଡିଆ ଭାଷା ଓ ସାହିତ୍ୟ ସହିତ ଯୋଡିବା ଲାଗି ପିଲାଟି ବେଳୁ ସେମାନଙ୍କର ସୃଜନଶୀଳ ଦକ୍ଷତାକୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଗୁରୁ୍ତ୍ବାରୋପ କରିଥିଲେ । ତେଣୁ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିବା ଏହିପରି ପ୍ରତିଯୋଗିତା ଖୁବ୍ ସ୍ବାଗତଯୋଗ୍ୟ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ନୂତନ ଶିକ୍ଷାନୀତିରେ ମାତୃଭାଷା ଶିକ୍ଷାର ଗୁରୁତ୍ବକୁ ଦର୍ଶାଇବାକୁ ଯାଇ ଉଦାହରଣ ମାଧ୍ୟମରେ ଭବିଷ୍ୟତରେ କିପରି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମଧ୍ୟ ମାତୃଭାଷା ମାଧ୍ୟମରେ ପ୍ରଶିକ୍ଷଣ ଦେଇ ପାଠ ପଢାଯାଇ ପାରିବ ସେ ବିଷୟରେ ସରକାରଙ୍କ ଦ୍ବାରା ନିଆ ଯାଇଥିବା ପଦକ୍ଷେକ ଗୁଡିକ ଦର୍ଶାଇଥିଲେ ।


ପ୍ରାରମ୍ଭରେ ଓଡିଶା ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରି ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଓଡିଆ ଭାଷାକୁ ଏକ ବୃକ୍ଷ ସହିତ ତୁଳନା କରି ଆବଶ୍ୟକୀୟ ପ୍ରେରଣା ଓ ବ୍ୟବହାର ଅଭାବରେ ଭାଷାଟିଏ କିପରି ମୃତ୍ୟୁବରଣ କରେ ସେ ବିଷୟରେ ଆଲୋକପାତ କରିଥିଲେ । ସରକାରଙ୍କ ଦ୍ବାରା ବର୍ତ୍ତମାନ ପ୍ରାଥମିକ କ୍ଷେତ୍ରରେ ଓଡିଆର ବହୁଳ ବ୍ୟବହାର ଲାଗି ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେଗୁଡିକର ସାର୍ଥକ ଭାବେ ସେତେବେଳେ କାର୍ଯ୍ୟକାରୀ ହୋଇ ପାରିବ, ଯେତେବେଳେ ଆମ ମାତୃଭାଷା ଓଡିଆ ପ୍ରତି ଆମ ନିଜସ୍ବ ସମ୍ମାନ ଓ ଅସ୍ମିତାର ସୁରକ୍ଷା ହେବ । ନିଜସ୍ବ ଗବେଷଣାତ୍ମକ ତଥ୍ୟରୁ ଉଦାହରଣ ଖୋଜି ସୁଶ୍ରୀ ତ୍ରିପାଠୀ ଭାଷାର ଅଶୁଦ୍ଧିକରଣ ଏବଂ ଶଙ୍କରୀ କରଣର ଦୁଷ୍ପ୍ରଭାବ କିପରି ଓଡିଆ ଭାଷାକୁ କ୍ଷୟଶୀଳ କରିଚାଲିଛି ସେଥିଲାଗି ଉଦବେଗ ପ୍ରକାଶ କରିଥିଲେ ।
ଜିଲ୍ଲା କେଷାଗାର ଦ୍ବାରା ଆୟୋଜିତ ଓଡିଆ କବିତା, ଓଡିଆ ଗଳ୍ପ ଏବଂ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ସଫଳ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଏବଂ ଅତିଥି ମାନେ ପୁରସ୍କୃତ କରିଥିଲେ । ଓଡିଆ କବିତା ପ୍ରତିଯୋଗିତାରେ ଇପ୍ସିତା ବେହେରା , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ପୂର୍ଣ୍ଣିମା ଶବର ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ କନିଷି ଦ୍ବିତୀୟ ସ୍ଥାନ ଓ ସାହିଲ୍ ପ୍ରଧାନ ଭାରତୀ ବିଦ୍ୟାପୀଠ ଗଞ୍ଜାମ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଓଡିଆ ଗଳ୍ପରେ ଅଞ୍ଜଳୀ ଶବର ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ କନିଷି ପ୍ରଥମ, କେ. ଭାର୍ଗବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ଶୁଭମ୍ ମୁଦୁଲୀ ଭାରତୀ ବିଦ୍ୟାପୀଠ ,ଗଞ୍ଜାମ ତୃତୀୟ ସ୍ଥାନ ଏବଂ ଓଡିଆ ପ୍ରବନ୍ଧରେ ପ୍ରଣବ କୁମାର ପାଢୀ, ହରିହର ହାଇସ୍କୁଲ ଆସ୍କା ପ୍ରଥମ, ଆଦ୍ୟାଶା ପାଢୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ କ୍ରିଷ୍ଣା ସାହୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପରିଶେଷରେ ଭଞ୍ଜନଗର ସବ୍ ଟ୍ରେଜେରୀ ଅଧିକାରୀ ରଞ୍ଜନ ଉଲାକା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.