ମାଫିଆ ଫେରାର : ତିନି ବାଇକ୍ ସହ ୧୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ବିଭିନ୍ନ ଜାଗାରେ କିଛିଦିନ ହେଲା ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଅନେକ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଚାଲିଛି । ତଥାପି ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ ଥମିବାର ନାଁ ଧରୁନି। ଗୋଟେ ପଟେ ଜିଲ୍ଲା ପୋଲିସ ମୁଖିଆଙ୍କ ନିର୍ଦ୍ଦେଶକ୍ରମେ ଫିରିଙ୍ଗିଆ ପୋଲିସ ଅପରେସନ ନୀଳ ଜହର ବା ଗଞ୍ଜେଇ ଚାଲାଣ ରୋକିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ଅନ୍ୟପଟେ ମାଫିଆ ମାନେ ପୋଲିସ ର କଡା ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ପୋଲିସ ପୁଣିଥରେ ତିନୋଟି ବାଇକ୍ ସହ ୧୫୧ କେଜି ୨୦୦ ଗ୍ରାମ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲେ ହେଁ ମାଫିଆ ମାନେ ପୋଲିସ ଠାରୁ ଖସିଯିବା ରେ ସଫଳ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ କୌଣସି ସୂତ୍ରରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଏକ ଟିମ ଫିରିଙ୍ଗିଆ ଥାନା ପାଙ୍ଗା ଗାଁ ନିକଟରେ ଥିବା ବାଘନଦୀ ପୋଲ ନିକଟରେ ଚଢାଉ କରିଥିଲେ। ଚଢାଉ ସମୟରେ ପୋଲିସକୁ ଦେଖି ପୋଲ ଉପରେ ମାଫିଆ ମାନେ ଗଞ୍ଜେଇ ସହ ତିନୋଟି ବାଇକକୁ ଛାଡି ପାଙ୍ଗା ବାଲିଗଟା ଜଙ୍ଗଲ ଭିତରକୁ ଦଉଡି ପଲାଇଥିଲେ। ପରେ ପୋଲିସ ତିନୋଟି ବାଇକ୍ ଓ ଗଞ୍ଜେଇକୁ ଜବତ କରିଥିଲେ। ଏନେଇ ଫିରିଙ୍ଗିଆ ଥାନାରେ ୫୬/୨୦୨୩ ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇ ଓ ବାଇକକୁ କୋର୍ଟ ଚଲାଣ କରି ଫେରାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.