
ବ୍ରହ୍ମପୁର : ଚଳିତ ମେ ମାସ ୪ ତାରିଖରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ୧୫ତମ ରାଜ୍ୟସ୍ତରୀୟ ଏବଂ ୨ୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହେଉଥିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ନାଟକ ସମାରୋହର ସଭାପତି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି । ବ୍ରହ୍ମପୁର ଗଂଜାମ କଳାପରିଷଦ ସ୍ଥିତ ଉତ୍କଳ ଆଶ୍ରମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ପ୍ରକାରେ ମେ 4ତାରିଖ ଉଦଘାଟନ ଦିବସରେ ଆୟୋଜକ ସଂସ୍ଥା ଓଡିଶା ନାଟକ ସମାରୋହ ସମିତି ତରଫରୁ ନାଟକ “ପଞ୍ଚମ ବେଦ”, ଦ୍ଵିତୀୟ ଦିବସରେ ବାଲେଶ୍ୱର କଳାକାର ନାଟ୍ୟସଂସ୍ଥା ତରଫରୁ ନାଟକ”କଳାମଲ୍ଲୀ”,ତୃତୀୟ ଦିବସରେ ରାଉରକେଲା କଳାକାର ଏକତା ମଂଚ ତରଫରୁ ନାଟକ”ପବିତ୍ର ପାପ”,ଚତୁର୍ଥ ଦିବସରେ ଭୁବନେଶ୍ୱର ବାଗଦେବୀ ଲିଟରେଚର ଟ୍ରଷ୍ଟ ତରଫରୁ ନାଟକ”ଅପେକ୍ଷାରେ ରାମଚନ୍ଦ୍ର”,ପଞ୍ଚମ ଦିବସରେ ଭୁବନେଶ୍ୱର ପଂଚମବେଦ ତରଫରୁ ନାଟକ”ଚାଖି ଖୁଣ୍ଟିଆ” ଏବଂ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଶେଷ ନାଟକ ଭାବେ ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ନାଟକ “ସେହି ଚାରିଦିନ” ମଂଚସ୍ଥ ହେବ । ଏତଦବ୍ୟତୀତ 10 ତାରିଖ ଦିନ 2ୟ ଶିଶୁ ନାଟକ ମହୋତ୍ସବ ରେ ତିନୋଟି ଶିଶୁ ନାଟକ ମଂଚସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ପ୍ରତିଦିନ ନାଟକ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ସଭା ଓ ସମ୍ବର୍ଦ୍ଧନା ଅନୁଷ୍ଠିତ ହେବ ଏବଂ ନାଟକ ଶେଷରେ ଦର୍ଶକଙ୍କ ପାଇଁ ନାଟକ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡିଶା ନାଟକ ସମାରୋହ ସମିତି ଦ୍ୱାରା ଆୟୋଜିତ ଏହି ନାଟକ ମହୋତ୍ସବକୁ ବ୍ରହ୍ମପୁର କଳାକାର ଏକତା ମଂଚ ସହଯୋଗ କରୁଅଛି ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ନାଟକ ସମାରୋହର ଉପଦେଷ୍ଟା ରାଜୁ ପାଢ଼ୀ, ସାଧାରଣସମ୍ପାଦକ ସାପା ସୀମାଦ୍ରୀ , ସମ୍ପାଦକ ଶଙ୍କର୍ଷଣ ସାବତ,ବରିଷ୍ଠ ସଂଯୋଜକ ଡ଼. ମିହିର ତ୍ରିପାଠୀ ପ୍ରମୁଖ ମଂଚାସୀନ ରହିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ଯରେ ନାରାୟଣ ମହାଙ୍କୁଡ଼, ଉମେଶ ଚୌଧୁରୀ,ରାମଚନ୍ଦ୍ର ସାସମଲ,ରାଜଗୋପାଳ ପାଢ଼ୀ,ଇଂ.ମନୋଜ ଦଣ୍ଡପାଟ,ଆରତୀ ପାତ୍ର, କୈଳାସ ପାଣିଗ୍ରାହୀ,ସୁନୀଲ ସ୍ୱାଇଁ,ସୁବାସ ସାହୁ ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।