
ଫୁଲବାଣୀ : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ନିଶ୍ଚିତ ଭାବେ ବିପର୍ଯ୍ୟୟ ପ୍ରଶମନ ଦିଗରେ ସହାୟକ ହେବ ବୋଲି କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମହୋଦୟା ସୁଶ୍ରୀ ନନ୍ଦିନୀ ମଲ୍ଲିକ କହିଥିଲେ । ମାନ୍ୟବର ଘୁ. ଉଦୟଗିର ବିଧାୟକ ସାଲୁଗା ପ୍ରଧାନ ଏବଂ ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉଥିବା କ୍ଷୟକ୍ଷତିର ଶିଘ୍ର ଆକଳନ ସହିତ କ୍ଷତିପୂରଣ ପ୍ରଦାନ କରିବା, ରାସ୍ତା ଓ ସ୍କୁଲ ଘର ଇତ୍ୟାଦିର ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ଲୋଡ଼ିଥିଲେ। କନ୍ଧମାଳ ଜିଲ୍ଲାରେ ବିଗତ ୫ ବର୍ଷର ବର୍ଷା ପରିମାଣକୁ ତୁଳନା କଲାପରେ ଜଣାପଡ଼ିଛି ଯେ, ଗତ ବର୍ଷ ଯେତିକି ବର୍ଷା ହେବା କଥା ତା’ର ୩ ଗୁଣ ବର୍ଷା ହୋଇଥିଲା । ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଚଳିତ ବର୍ଷ କେତେ ପରିମାଣର ବର୍ଷା ହେବ ଏହି ମାସ ୧୫ ତାରିଖରେ ପାଣିପାଗ ପୂର୍ବାନୁମାନ ପରେ ଜଣାପଡ଼ିବ। ତେବେ ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲାର ଦୁର୍ବଳ ସ୍ଥିତିରେ ଥିବା ପ୍ରତ୍ୟେକ ନଦୀବନ୍ଧ, କେନାଲ, ପୋଲ ବିଶେଷ କରି ବର୍ଷାଦିନେ ଯେଉଁ ପୋଲ ଉପରଦେଇ ପାଣି ଅତିକ୍ରମ କରେ ସେଗୁଡ଼ିକ ର ମରାମତି କାର୍ଯ୍ୟ ଶେଷ କରିବାକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍ ନିର୍ଦ୍ଦେଶ ଦେଇଥିଲେ । ସେ କହିଲେ ପୂର୍ବବର୍ଷ ଭଳି ଯଦି ଚଳିତ ବର୍ଷ ଦୁର୍ଘଟଣା ଘଟେ ତେବେ ବି.ଡି.ଓ. ଉପ-ଜିଲ୍ଲାପାଳ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ ଓ ବାଲିଗୁଡ଼ାର ପ୍ରକଳ୍ପ ପ୍ରଶାସକ, ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଦାୟୀ ରହିବେ । ସେମାନେ ଏବେଠାରୁ ନିଜ ନିଜ ଅଞ୍ଚଳରେ ଥିବା ଦୁର୍ବଳ ସ୍ଥାନଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ କରିବା ସହିତ ମାତ୍ରାଧିକ ବର୍ଷାହେଲେ ବର୍ଷା ଜଳ ଯେଉଁଠି ରାସ୍ତା ଉପରେ କିମ୍ବା ପୋଲ ଉପର ଦେଇ ଅତିକ୍ରମ କରୁଛି ସେହି ସ୍ଥାନରେ ବାରିକେଡ୍ ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କ୍ଷୟକ୍ଷତି ସଂପୂର୍ଣ୍ଣ ହେଉ ବା ଆଂଶିକ ହେଉ ସଠିକ ଆକଳନ କରି ସଙ୍ଗେ ସଙ୍ଗେ ତା’ର ରିପୋର୍ଟ ପଠାଇବାକୁ ତହସିଲ୍ଦାର୍ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାରଣ,ସରକାର ବନ୍ୟା ଓ ବାତ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ଭରଣା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । ସେହିପରି କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରବଳ ବର୍ଷା ସମୟରେ ସଠିକ ବର୍ଷା ରିପୋର୍ଟ ପ୍ରଦାନ କରିବାକୁ ବି.ଡି.ଓ. ମାନଙ୍କୁ ପରାମର୍ଶ ଦେଇଥିଲେ ବନ୍ୟା ଓ ବାତ୍ୟା ପୂର୍ବରୁ ବି.ଡି.ଓ. ମାନେ ଗୋଟିଏ ଗୋଟିଏ ଟିମ୍ ପ୍ରସ୍ତୁତ କରିବେ ଏବଂ ଲୋକ ମାନଙ୍କ ରହିବା ନିମନ୍ତେ ସ୍ଥିର କରାଯାଇଥିବା ଆଶ୍ରୟ ସ୍ଥଳଗୁଡ଼ିକରେ ମାଗଣା ରନ୍ଧାଖାଦ୍ୟ ସହିତ ପାନୀୟ ଜଳ ସୌଚାଳୟ ଇତ୍ୟାଦିର ବ୍ୟବସ୍ଥା ପାଇଁ ଉପଯୁକ୍ତ ଯୋଜନା ଆଗରୁ କରିବାକୁ ପଡ଼ିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ସେ କହିଥିଲେ । ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହ ଅଧିକାରୀ ମାନେ ଆବଶ୍ୟକ ପରିମାଣର କ୍ଲିଚିଂ ପାଉଡର ଯୋଗାଇଦେବା ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା କାର୍ଯ୍ୟ ତଦାରଖ କରିବେ। ବନ୍ୟା ପରେ ସମ୍ଭାବ୍ୟ ମହାମାରୀ ଭଳି ରୋଗକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନା, ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଏବଂ ଆଶାମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର କ୍ଲିଚିଂ ପାଉଡର ହାଲୋଜିନ୍ ବଟିକା ଓ ଅନ୍ୟାନ୍ୟ ଦରକାରୀ ଔଷଧ ମହଜୁଦ୍ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି, ଶୁଷ୍କ ଖାଦ୍ୟ ଦ୍ରବ୍ୟ ମହଜୁଦ୍ କରିବା ପାଇଁ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଆବଶ୍ୟକ ପରିମାଣର ପଲିଥିନ୍ ସିଟ୍ ମହଜୁଦ୍ ଅଛି ବୋଲି ଜିଲ୍ଲା ଆପତ୍କାଳୀନ ପ୍ରଦ୍ୟୁମ୍ନ ମଣ୍ଡଳ ସୂଚନା ଦେଇଥିଲେ। ବିପର୍ଯ୍ୟୟ ସମୟରେ ବିପଦରେ ପଡ଼ିଲେ କିମ୍ବା ଏହି ସମ୍ପର୍କୀତ ସୂଚନା ପାଇବାକୁ ହେଲେ ୦୬୮୪୨-୨୫୩୬୫୦ କୁ ଯେ କୌଣସି ଫୋନ୍ ନମ୍ବରରୁ ଯୋଗାଯୋଗ ଏବଂ ୧୦୭୭(ଟୋଲ୍ ଫ୍ରା) କୁ କେବଳ ବି.ଏସ୍. ଏନ୍.ଏଲ୍. ମୋବାଇଲ୍ କିମ୍ବା ଲ୍ୟାଣ୍ଡ୍ ଲାଇନକୁ ଯୋଗାଯୋଗ କରିପାରିବେ ବୋଲି ସେ ସୂଚନା ଦେଇଥିଲେ। ବୈଠକରେ, ଉପ-ଜିଲ୍ଲାପାଳ,ବାଲିଗୁଡ଼ା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ ଓ ବାଲିଗୁଡ଼ାଙ୍କ ସମେତ ବି.ଡି.ଓ., ତହସିଲ୍ଦାର, ସମ୍ପୃକ୍ତ ବିଭାଗୀୟ ପଦାଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇ ଥିଲେ l