
ମାଲକାନଗିରି : ଗତ ତିନି ବର୍ଷ ଧରି ବର୍ଷ ରବି ଫସଲ ଅମଳ ବେଳେ କେନାଲ ପାଣି ଅଭାବରୁ ରବି ଫସଲ ଅମଳ ହୋଇପାରୁ ନଥିବା ବେଳେ ଚାଷୀଙ୍କ ଜୀବନ ଜିବିକାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରବି ଚାଷ ବେଳେ ପୂର୍ବରୁ ୧୦ ହଜାର ହେକ୍ଟର ଚାଷ ଜମିରେ ଫସଲ କରାଯାଉଥିବା ବେଳେ ବର୍ତ୍ତମାନ ଏହା ୧୭ ଶହ ହେକ୍ଟରକୁ ଖସି ଆସିଛି। ଯାହା ମାଲାକନଗିରି ଜିଲ୍ଲା ପଡିଆ କୃଷି ବିଭାଗ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚାଷୀକୂଳର ବାସ୍ତବ ଚିତ୍ର କୁ ଉପସ୍ଥାପନ କରୁଛି। ପ୍ରତ୍ୟକ ବର୍ଷ ପଡିଆ ପାଣି ଅଭାବରୁ ପୋଟେରୁ କେନାଲ ଡିଭିଜନର ବିଭିନ୍ନ ପଞ୍ଚାୟତକୁ କେନାଲ ଯୋଗେ ପାଣି ଛଡା ଯାଇ ନଥିବାରୁ ଚାଷୀକୂଳ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖିନ ହୋଇଥିବା କୁହାଯାଉଛି । ପ୍ରାୟ ଅଞ୍ଚଳରେ ରବି ଫସଲରୁ ଲୋକେ ବର୍ତ୍ତୀ ରହିଥିବା ବେଳେ ଆଉ କେତେକ ସ୍ଥାନରେ ଲୋକେ ଧାର ଉଧାର କରି ବାଦାମ ଚାଷ ଆରମ୍ଭ କରିଥିଲା ବେଳେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେନାଲ ପାଣି ଛଡା ନଯିବାରୁ ଚାଷୀକୂଳ ସମୁର୍ଣ୍ଣ ହତାଶ ହୋଇପଡିଛନ୍ତି। ଏଥିପାଇଁ ଆଜି ପଡିଆ କୃଷି କାର୍ଯ୍ୟାଳୟ ଅଧୀନରେ ଥିବା ଏମଭି ୭୯ ସ୍ଥିତ ଜଳସେଚନ କାର୍ଯ୍ୟାଳୟରେ ସ୍ଥାନୀୟ ଚାଷୀ ଏକତ୍ରୀତ ହୋଇ ଏକ ରାଲି କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି। ସରକାର ପ୍ରତ୍ୟକ ବର୍ଷ ଜଳ କର ନେଉଥିବା ବେଳେ ଚାଷୀ ପ୍ରକୃତରେ ପାଣି ପାଉଛି କି ନାହିଁ ତାହାର ତଥ୍ୟ ରଖୁ ନାହିଁ। କେତେକ ସ୍ଥାନରେ ଚାଷୀଙ୍କ ଜମିକୁ କେନାଲ ପାଣି ଯାଉନଥିଲେ ମଧ୍ୟ ପ୍ରତିବର୍ଷ ଜଳକର ଦେବାକୁ ପଡୁଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଅଳ୍ପ କିଛି ଅଞ୍ଚଳରେ ଲୋକେ ବାଦାମ ଚାଷ କରିଥିବା ବେଳେ ଜଳ ସେଚନ ବିଭାଗ ପକ୍ଷ୍ୟରୁ ଠିକ ସମୟରେ ପାଣି ଛଡା ନଯିବାରୁ ଏକର ଏକର ଜମିରେ ବାଦାମ ନଷ୍ଟ ହେବା ଆରମ୍ଭ ହେଲାଣି। ଏଥିପାଇଁ ଆଜି ସକାଳୁ ମାଲାକନଗିରି ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସମୀର ମିସ୍ତ୍ରୀ ଓ ବିଧାୟକ ପ୍ରତିନିଧି ରାଜକିଶୋର ମଣ୍ଡଲଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏମଭି ୭୯ ଶିବ ମନ୍ଦିର ସମ୍ମୁଖରୁ ଏକ ରାଲି ଯୋଗେ ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ଚାଷୀଙ୍କ ହିତ ପାଇଁ ତୁରନ୍ତ ବିଭାଗ ପକ୍ଷରୁ ୨ ଦିନ ମଧ୍ୟରେ ପାଣି ଛଡାଯିବା ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଜଳ ସେଚନ ପ୍ରକଳ୍ପ ବିଭାଗର ସହାୟକ ଯନ୍ତ୍ରୀ ପବିତ୍ର କୁମାର ବାଘ ଓ ରୋହନ ସିଂ ପ୍ରମୁଖ ଉପସ୍ଥିତ ଥିବା ବେଳେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚାଷୀଙ୍କୁ ଆଶ୍ଵାଶନା ଦେଇଥିଲେ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ମଣ୍ଡଳ, ନାରାୟଣ ସରକାର ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।