
ହିଞ୍ଜିଳିକାଟୁ (୨୬/୯): ହିଞ୍ଜିଳି ଥାନା ତହଁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣେଶ ପୂଜା ଭସାଣୀରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ସଂପୃକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ପିଣ୍ଟୁ ଗୌଡ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୭୦୩/୨୩ ଓ ୭୦୪/୨୩ ରେ ୨ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ।
ପ୍ରକାଶ ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରଠାରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଳକ ତହଁର ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ଶତୃତା ଲାଗି ରହିଥିଲା । ତହଁର ଗ୍ରାମର ଗଣେଶ ପୂଜା ଭସାଣୀରେ ଗଣ୍ଡଗୋଳ ଆଶଙ୍କା କରି ସଂପୃକ୍ତ ଗ୍ରାମର ୨ ଗୋଷ୍ଠୀ ହିଞ୍ଜିଳି ଥାନାର ଦ୍ବାରସ୍ଥ ହୋଇଥିଲେ । ଉଭୟ ଗୋଷ୍ଠୀଙ୍କୁ ପୃଥକ୍ ପୃଥକ୍ ଦିବସରେ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ସହ ଲାଗି ଥାନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ରବିବାର ସନ୍ଧ୍ୟାରେ ଗ୍ରାମର ଗୋଟିଏ ଗୋଷ୍ଠୀ ଭସାଣୀ ଉତ୍ସବରେ ଶୋଭାଯାତ୍ରା କରି ଯାଉଥିବା ବେଳେ ଅପର ଗୋଷ୍ଠୀ ପ୍ରସାଦ ସେବନ ବ୍ୟବସ୍ଥା କରିଥିଲେ । ଗ୍ରାମ ଲୋକେ ରାସ୍ତାରେ ବସି ପ୍ରସାଦ ସେବନ କରୁଥିବା ବେଳେ ଭସାଣୀ ଉତ୍ସବ ପାଇଁ ଶୋଭାଯାତ୍ରାରେ ବାହାରିଥିବା ଗୋଷ୍ଠୀଙ୍କୁ ସେହି ରାସ୍ତା ଦେଇ ଯିବାକୁ ବାରଣ କରିଥିଲେ। ଫଳରେ ଏଭଳି ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୋଟିଏ ଗୋଷ୍ଠୀର କିଛି ଯୁବକ ଧାରୁଆ ଅସ୍ତ୍ରରେ ଅପର ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂପୃକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ଗୁରୁତର ଆହତ ହୋଇଥିଲେ । ଘଟଣା ନେଇ ସୋମବାର ଉଭୟ ଗୋଷ୍ଠୀ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ କରାଯାଇଛି। ଘଟଣା ପରେ ଆକ୍ରମଣକାରୀ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।