ରାଜା ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୧୨୪ତମ ଜୟନ୍ତୀ : ‘ଓଡିଆ ଜାତି ପାଇର୍ ଲଢେଇରେ ମର୍ଦ୍ଧରାଜ ଦେଓଙ୍କ ଅବଦାନ ଅତୁଳନୀୟ’

add-all

ହିଞ୍ଜିଳିକାଟୁ, ୧୩ା୧ : ଓଡିଶାର ସୁଯୋଗ୍ୟ ବରପୁତ୍ର ତଥା ଗଞ୍ଜାମ ଜିଲ୍ଲାର ଚୀରସ୍ମରଣୀୟ, ନିର୍ଭୀକ ଓ ମହାନ ବ୍ୟକ୍ତିତ୍ୱ ଖଲ୍ଲିକୋଟ ରାଜା ବହାଦୁର ରାମଚନ୍ଦ୍ର ମର୍ଦ୍ଧରାଜ ଦେଓଙ୍କ ୧୨୪ତମ ଜନ୍ମ ଜୟନ୍ତୀ ସମାରୋହ ଶନିବାର ହିଞ୍ଜିଳିକାଟୁ ବିଜ୍ଞାନ (ସ୍ୱଂୟଶାସିତ) ମହାବିଦ୍ୟାଳୟ ପରିସରରେ ଭବ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମାରୋହର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ମହାବିଦ୍ୟାଳୟ, ବ୍ରହ୍ମପୁର ପ୍ରାକ୍ତନ ଇତିହାସ ବିଭାଗୀୟ ମୁଖ୍ୟ ପ୍ରଫେସର ମଦନ ମୋହନ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ, ବ୍ରହ୍ମପୁର, ଉପସଚିବ ଡ. କୁଳମଣି ଓଝା ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜବଂଶର ଅବଦାନ ଓଡିଆ ଜାତିକୁ କେବଳ ସଂଗଠିତ କରିନଥିଲା, ବରଂ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଓଡିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଭାବେ ବୀଜ ବପନ କରିଥିଲା । ଖଲ୍ଲିକୋଟ ରାଜା ହରିହର ମର୍ଦ୍ଧରାଜଙ୍କ ଦ୍ୱାରା ନିମିତ ଭିତ୍ତିଭୂମି ଉପରେ ତାଙ୍କ ସୁପୁତ୍ର ରାମଚନ୍ଦ୍ର ମର୍ଦ୍ଧରାଜ ଓଡିଆ ଜାତିର ବିଶାଳ କୋଣାର୍କ ନିର୍ମାଣ କରି କିର୍ତ୍ତିମାନ ସ୍ଥାପନ କରି ଯାଇଛନ୍ତି । ପ୍ରକୃତରେ ସେ ଥିଲେ ଆଧୁନିକ ଓଡିଶା ଗଠନର ଜଣେ ସୁଦକ୍ଷ ଓ ଜାତୀୟବାଦୀ ରାଜଯୋଗୀ । ଓଡିଆ ଜାତି ପାଇର୍ ଲଢେଇରେ ମର୍ଦ୍ଧରାଜ ଦେଓଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟ ଅତିଥି ପ୍ରଫେସର ମଦନ ମୋହନ ମହାପାତ୍ର ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ବସନ୍ତ ଶବର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ପ୍ରଦୀପ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମର୍ଦ୍ଧରାଜ ଦେଓ ଜୟନ୍ତୀ ସକାଶେ ପୂର୍ବରୁ ଆୟୋଜିତ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ଇତିହାସ ବିଭାଗୀୟ ମୁଖ୍ୟ ଡ. ଗୋକୁଳାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷ ଚନ୍ଦ୍ରଶେଖର ପୃଷ୍ଟି, ଅରବିନ୍ଦ ପଣ୍ଡା, ଅଧ୍ୟାପିକା ଡ. ସମ୍ପର୍ଣ୍ଣା ରାଣୀ ଦାଶ, ଅବିନାଶ ଲେଙ୍କା, ପବିତ୍ର ଶବର, ଡ. ସୁଶିଳ କୁମାର ପାଣିଗ୍ରାହୀ, ଡ. କେଶବ ଚନ୍ଦ୍ର ଷଡଙ୍ଗୀ, ଡ. ପ୍ରଫୁଲ କୁମାର ରଥ, ଅଜିତ କୁମାର ପାତ୍ର, ଲଲିତ କୁମାର ପଟ୍ଟନାୟକ , ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ବହୁ ଛାତ୍ରୀ, ଛାତ୍ର ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.