ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ

add-all

ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲେ ସାଂସଦ ବଳଭଦ୍ର ମାଝୀ

ମାଲକାନଗିରି : ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ସେ ଏହି ଅବସରରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କରି ତ୍ୱରିତ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଆଜି ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ସ୍ଵାସ୍ଥ୍ୟ ସେବା, ଶିକ୍ଷା, ଅଙ୍ଗନୱାଡ଼ି, ବଦଳି ଓ ଗ୍ରାମ୍ୟ ଉନ୍ନୟନ ଭଳି ସର୍ବମୋଟ ୧୧୦ ଗୋଟି ଅଭିଯୋଗର ଆଜି ଶୁଣାଣୀ କରାଯାଇଛି । ସେହିପରି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାଲିମେଳା, ମାଲକାନଗିରି ମ୍ୟୁନିସିପାଲଟି ଓ ବ୍ଲକର ହିତାଧିକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ ଜଣଙ୍କୁ, ୨ ଟି ଶ୍ରବଣ ଯନ୍ତ୍ର, ୨ ଦିବ୍ୟାଙ୍ଗ, ୬ ବାର୍ଦ୍ଧକ୍ୟ, ୪ ବିଧବା, ୧ ଅବିବାହିତ ଓ ୧ ସ୍ବାମୀ ପରିତ୍ୟକ୍ତା ସର୍ବମୋଟ ୧୮ ଜଣଙ୍କୁ ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି। ସେହିପରି ଆଜି ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତି ପ୍ରଣୟନ କରି ପ୍ରତିଟି ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷମ କରାଇବା ଲକ୍ଷ୍ୟ ରଖାଯାଇଛି ବୋଲି ସାଂସଦ ପ୍ରକାଶ କରିଛନ୍ତି। ସେହିପରି ମାତୃଭାଷାରେ ଶିକ୍ଷାଦାନ ପଦ୍ଧତି ଅବଲମ୍ବନ କଲେ ବିକାଶ ହୋଇପାରିବ ବୋଲି ମଧ୍ୟ ସେ କହିଛନ୍ତି।

ସାମାଜିକ ସୁରକ୍ଷା କ୍ଷେତ୍ରରେ ଚିହ୍ନଟ ନ ହୋଇଥିବା ହିତାଧିକାରୀମାନଙ୍କୁ ସେବା ଯୋଗାଇ ଦେବା ସହ ସମସ୍ତ ପ୍ରକାର ପେନସନର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଘର, ପଞ୍ଚାୟତ ଏବଂ ଗାଁକୁ ବିଜୁଳି ସଂଯୋଗିକରଣ ହୋଇପାରିବ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ସ୍ୱଚ୍ଛ ଶୌଚାଳୟ, ପାନୀୟ ଜଳ, ଅପହଞ୍ଚ ଗ୍ରାମାଞ୍ଚଳରେ ଶିକ୍ଷାଦାନ ନିମନ୍ତେ ଶ୍ରେଣୀଗୃହ ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ହଷ୍ଟେଲରେ ମାଟ୍ରନ ରହିବା ବାଧ୍ୟତାମୂଳକ କରିବା ସହ ଦୂରଦୂରାନ୍ତରୁ ଆସୁଥିବା ଶିକ୍ଷାର୍ଥୀଙ୍କ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ହଷ୍ଟେଲ ପ୍ରଦାନ କରିବା ପାଇଁ କୁହାଯାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ, ନର୍ସିଂ କଲେଜର ବ୍ୟବସ୍ଥା କରାଯିବ । ଗ୍ରାମାଞ୍ଚଳ ତଥା ଦୁରାନ୍ତ ଅଞ୍ଚଳରେ ନିଯୁକ୍ତ ପ୍ରତି ଡ଼ାକ୍ତରଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ନଥିବା ଗାଁ ତଥା ସ୍ୱୀକୃତି ପ୍ରାପ୍ତ ହେମଲେଟ ଗାଁକୁ ରାସ୍ତା ବ୍ୟବସ୍ଥା ପାଇଁ କୁହାଯାଇଛି। ଉତ୍ତମ ରକ୍ଷଣା ବେକ୍ଷଣ ପାଇଁ ଲମ୍ବା ରାସ୍ତା ସବୁକୁ ରାସ୍ତା ଓ କୋଠାବାଡ଼ି ବିଭାଗକୁ ହସ୍ତାନ୍ତର କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନୟନ ନିମନ୍ତେ ସେମାନଙ୍କ ନିକଟରେ ସ୍କିଲ ପ୍ରଶିକ୍ଷଣ ଯୋଗାଇ ଦେବାକୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରମିକ ମାନଙ୍କର ପଞ୍ଜିକରଣ ସହ ସେମାନଙ୍କର ରୋଜଗାର କିପରି ବୃଦ୍ଧି ହେବ ସେଥିପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଜଙ୍ଗଲ, ଅବକାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗକୁ ମଧ୍ଯ ଅନୁରୂପ ଭାବେ ଲକ୍ଷ୍ୟ ହାସଲ ନିମନ୍ତେ କୁହାଯାଇଛି। ପ୍ରାଣୀ ସମ୍ପଦ ବିଭାଗକୁ ଜିଲ୍ଲାରେ ଗିର ପ୍ରଜାତିର ଗୋପାଳନ କରି ଦୁଗ୍ଧ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବା ପାଇଁ କୁହାଯାଇଛି।

ଜାତୀୟ ରାଜପଥ ବିଭାଗକୁ ମୋଟୁ ଠାରୁ ଆରମ୍ଭ କରି ଗୋବିନ୍ଦପାଲି ପର୍ଯ୍ୟନ୍ତ ସ୍ପିଡ ଲେଭେଲ ବୋର୍ଡ ପ୍ରଦର୍ଶନ କରିବା ପାଇଁ କୁହାଯାଇଛି। ତା ସହିତ ହେଲମେଟ ପିନ୍ଧିବା ନିମନ୍ତେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି। ସମସ୍ତ ପ୍ରକାର ଶସ୍ୟ ସଂରକ୍ଷଣ ରେ ଜିଲ୍ଲା ଆତ୍ମ ନିର୍ଭରଶୀଳ ହେବା ଉଚିତ। ମିଲେଟର ଉତ୍ପତ୍ତି ଅବିଭକ୍ତ କୋରାପୁଟ ଜିଲ୍ଲା। ସମସ୍ତ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ମିଲେଟରେ ଭରି ରହିଛି। ତେଣୁ ମିଲେଟକୁ ଲୋକାଦୃତ କରିବା ସହ ଏହାର ଅଧିକ ଉତ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ କୁହାଯାଇଛି। ନିଜ ନିଜ ବିଭାଗର ରୋଡ ମ୍ୟାପ ସହ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ବିଭାଗ ପ୍ରଯତ୍ନ ହେବେ ବୋଲି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ, ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ, ମଙ୍ଗୁ ଖିଲ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ସୋମନାଥ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.