
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଶେଷ ସୀମାରେ ରହିଥିବା ମୋଟୁ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଥିବା ଆନ୍ଧ୍ରପ୍ରଦେଶର ବୋଡୁନୁର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଭୟବିତ ହୋଇଥିବା ବେଳେ ବନ ବିଭାଗ ବାଘଟିକୁ କାବୁ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଇଷ୍ଟଗୋଦାବେରୀ ରେ ଥିବା ଚିନ୍ତୁର ଡିଭିଜନର ବୋଡୁନୁର ଗ୍ରାମରେ ଏକ ବାଘ ପଶି ଆସିଥିବା ଜଣା ପଡିଛି। ଏହି ଗ୍ରାମଟି ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତ ଠାରୁ ଅଳ୍ପ ଦୂରରେ ରହିଛି। ତେବେ ଏନେଇ ବୋଡୁନୁର ଗ୍ରାମବାସୀ କହିଛନ୍ତି ଯେ, ଗ୍ରାମର ସୋଡେ ଶ୍ରୀନୁ ନାମକ ଜଣେ ବ୍ୟକ୍ତି ନିଜ ଗାଈକୁ ନିକଟରେ ଥିବା ଜଙ୍ଗଲରେ ନୀତିଦିନ ପରି ଚରାଇବାକୁ ଯାଇଥିଲେ। ଏହି ସାମୀରେ ଗୋଟିଏ ବାଘ ହଟାତ ଆକ୍ରମଣ କରି ଗାଈର ମୁହଁକୁ କାମୁଡ଼ି ଦେଇ ନିକଟରେ ଥିବା ଏକ ନାଳ ମଧ୍ୟକୁ ଟାଣି ନେଇଥିଲା। ଏହା ଦେଖି ଶ୍ରୀନୁ ପାଟି କରିବାରୁ ଗାଁ ଲୋକେ ଦଉଡି ଆସିଥିଲେ ଓ ବାଘଟି ସେଠାରୁ ପଳାଇ ଯାଇଥିଲା କିନ୍ତୁ ଗାଈଟିର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଖବର ପାଇ ସ୍ଥାନୀୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରାପ କ୍ୟାମେରା ଲଗାଇବା ସହ ବାଘଟିର ତଲାସି ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ଏପରି କୌଣସି ବାଘ ଆତଙ୍କ ସେଠାରେ ଦେଖା ଦେଇନଥିବା ବେଳେ ହଟାତ ଏପରି ଏକ ବାଘ ଆକ୍ରମଣ ପରେ ଜଙ୍ଗଲ ମଧ୍ୟରେ ବାଘଟି ମାଲକାନଗିରିରେ ଆଡକୁ ପସିବାର ଆଶଙ୍କା ମଧ୍ୟ ରହିଛି। ଯାହାକୁ ନେଇ ବନ ବିଭାଗ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।