
ହିଞ୍ଜିଳିକାଟୁ, ତା ୬।୩(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପକ୍ଷରୁ ହିଞ୍ଜିଳିକାଟୁ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପରିସରରେ ଗୁରୁବାର ନୂତନ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସନ୍ତୋଷ ଜେନା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିଳ୍ପ ତାଲିମ ପ୍ରତିଷ୍ଠାନ ସହକାରୀ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଚେଞ୍ଜ ଲିଡର୍ ସ୍ୱାଗତିକା ମହାନ୍ତି ଓ ସ୍ବାଧିନ ଶେଖର ସାହୁ ମଞ୍ଚାସିନ ଥିଲେ। ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଓ ବର୍ତ୍ତମାନର ଭାରତ ନୂତନ ଆଇନ ସଂହିତା ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ରିଟିଶ ଶାସନ ଅମଳରୁ ପ୍ରଚଳିତ ଇଣ୍ଡିଆନ ପେନାଲ କୋଡ, କ୍ରିମିନାଲ ପ୍ରୋସିଜିଓର କୋଡ ଏବଂ ଇଣ୍ଡିଆନ ଏବିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ନିୟମ ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଯେକୌଣସି ଘଟଣା ସମ୍ପର୍କରେ ଭାରତର ଯେକୌଣସି ନାଗରିକ ଦେଶର ଯେକୌଣସି ଥାନାରେ ଶୁନ୍ୟ ଏତାଲା ଦାଖଲ କରିପାରିବ। ବିନାମୂଲ୍ୟରେ ଅଭିଯୋଗକାରୀଙ୍କୁ ଅଭିଯୋଗ ପଞ୍ଜିକରଣ ପତ୍ର ଦେବାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଦୋଷୀଙ୍କୁ ଦଣ୍ଡ ବିଧାନ ପାଇଁ ପ୍ରାଥମିକତା ଦିଆଯାଉଥିଲା ହେଲେ ବର୍ତ୍ତମାନ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ମୁଖ୍ୟ ଲକ୍ଷ୍ୟ ରହିଛି। ଯେକୌଣସି ବ୍ୟକ୍ତି ଅନଲାଇନ ମାଧ୍ୟମରେ ଥାନାରେ ଅଭିଯୋଗ କରିପାରିବେ। ତାହା ପଞ୍ଜିକୃତ ହେବାର ୩ ଦିନ ମଧ୍ୟରେ ଅଭିଯୋଗକାରୀ ଥାନାକୁ ଯାଇ ମୂଳ ଅଭିଯୋଗପତ୍ରରେ ଦସ୍ତଖତ କରିବାକୁ ହେବ, ଆବଶ୍ୟକ ସ୍ଥଳେ ପୁଲିସ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ବୟାନ ରେକର୍ଡ କରି ଅଭିଯୋଗ ପଞ୍ଜିକରଣ କରିବା ପାଇଁ ନିୟମ ପ୍ରଚଳନ କରାଯାଇଛି। ପୋକ୍ସୋ ଆଇନ, ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ସାଇବର କ୍ରାଇମ, ନିଶା ନିବାରଣ ସମ୍ପର୍କରେ ଆଇଆଇସି ସେଠି ମତବ୍ୟକ୍ତ କରିଥିଲେ। ପରବର୍ତ୍ତୀ ସମୟରେ ନୂତନ ଆଇନ ସଚେତନତା ନେଇ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଶିବିର ପରିଶେଷରେ ଉପସ୍ଥିତ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ହିଞ୍ଜିଳି ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ସୁରେଶ କୁମାର ସାହୁ ପରିଚାଳନା କରିଥିବା ବେଳେ କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଉମା ସାହୁ ଓ ଶିଳ୍ପ ତାଲିମ ପ୍ରତିଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳି ଥାନା ରଙ୍ଗୁଣୀପଲ୍ଲୀ ସ୍ଥିତ ଗାୟତ୍ରୀ କମ୍ପ୍ୟୁଟର ମହାବିଦ୍ୟାଳୟ ପରିସରରେ ନୂତନ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳି ଥାନା ଆଇଆଇସି ଶ୍ରୀ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ପଟ୍ଟନାୟକ ଯୋଗେ ଦେଇଥିଲେ।ଉକ୍ତ ଶିବିରରେ ଉଭୟ ଶିକ୍ଷାନୁଷ୍ଠାନର ବହୁ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ।