
ହିଞ୍ଜିଳିକାଟୁ : ଚଳିତ ବର୍ଷ ପଞ୍ଚାୟତ ରାଜ ଦିବସରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ଶାସିତ ରାଜ୍ୟ ସରକାରଙ୍କ ଅସମ୍ମାନ ପ୍ରତିବାଦରେ ହିଞ୍ଜିଳି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଓ ଧାରଣା ଦିଆଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ପଞ୍ଚାୟତ ରାଜ ଦିବସକୁ ବାତିଲ କରିବା ବିଜେପି ସରକାରଙ୍କ ହୀନ ମାନ୍ୟତା ଓ ଟଲମ୍ୟାନ୍ ବିଜୁବାବୁଙ୍କ ପ୍ରତି ତଥା ସମସ୍ତ ଜନସାଧାରଣଙ୍କୁ ଅସମ୍ମାନ ବୋଲି ବିଜେଡି କହିଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ନେତା ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀ ତଳେ ଶତାଧିକ ବିଜୁ ପ୍ରେମୀ ଧାରଣା ଦେବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ପ୍ରବାଦ ପୁରୁଷ ବିଜୁବାବୁ ଜଣେ ବରିଷ୍ଟ ସ୍ବାଧିନତା ସଂଗ୍ରାମୀ ସହ ନବନିର୍ମାଣ ଓଡିଶାର ନିର୍ମାତା। ଦେଶର ଓଡିଶା ଏକମାତ୍ର ରାଜ୍ୟ ଯାହାକି ପଞ୍ଚାୟତକୁ କ୍ଷମତା ଦେବା ସହ ତ୍ରୀସ୍ତରୀୟ ପଞ୍ଚାୟତ ସ୍ଥାପନା ଓ ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରି ମହିଳା ମାନଙ୍କୁ ରାଜନୈତିକ ଅଧିକାରୀ ପ୍ରଦାନ କରିଥିଲେ। ବିଜୁବାବୁଙ୍କ ଏପରି ଐତିହାସିକ ଓ ଦୁରଦୃଷ୍ଟି ପଦକ୍ଷେପକୁ ଭାରତର ଅନ୍ୟ ରାଜ୍ୟର ସରକାର ମାନେ ଅନୁସରଣ କରିବା ସହ ବାଧ୍ୟହୋଇ ଭାରତ ସରକାର ସମ୍ବିଧାନ ସଂଶୋଧନ କରି ପଞ୍ଚାୟତରାଜର ବ୍ୟବସ୍ଥା କରିଥିଲେ। ଦୀର୍ଘ ୩୨ ବର୍ଷ ଧରି ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଇ ଆସୁଥିଲା। ପ୍ରକାଶ ଥାଉକି, ଗତ ୨୦୦୦ ମସିହା ଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ଧରି ବିଜେପି – ବିଜେଡି ମେଣ୍ଟ ସରକାର ସମୟରେ ମଧ୍ୟ ବିଜୁବାବୁଙ୍କ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଉଥିଲା। ରାଜ୍ୟ ସରକାର ୨୦୨୫ ମସିହା ସରକାରଙ୍କ କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ରାଜ ଦିବସ ଓ ଛୁଟିଦିନ ଘୋଷଣା କରିଥିଲେ। ହେଲେବି ମାର୍ଚ୍ଚ ୩ ତାରିଖ ସନ୍ଧ୍ୟାରେ ୫ ମାର୍ଚ୍ଚକୁ ପଞ୍ଚାୟତ ରାଜ ଦିବସ ଓ ଛୁଟିଦିନ ବାତିଲ କରିଦେଲେ। ଏହା ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ଘୋର ଅପମାନ ଦେବା ସହ ସମସ୍ତ ଓଡିଶାବାସୀଙ୍କୁ ଅପମାନ ଓ ହୃଦୟକୁ ଶକ୍ତ ଆଘାତ ଦେଇଛନ୍ତି ବୋଲି ଉପସ୍ଥିତ ବିଜେଡି ନେତା ମାନେ କହିଥିଲେ। ସଂପୃକ୍ତ ଘଟଣାର ସରକାର ପୁନଃ ବିଚାର , ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ନଗର ସଭାପତି ହୃଦୟାନନ୍ଦ ମହାପାତ୍ର, ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୈାର ପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ ବହୁ ବିଜୁ ପ୍ରେମୀ ଯୋଗ ଦେଇଥିଲେ।