ହିଞ୍ଜିଳିକାଟୁ, ତା ୧୩।୪: ଦଣ୍ଡନାଚ ଦେଖିବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଛି। ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଲିଙ୍କୁ ନାହାକ ଓ ଅମନ ନାହାକ । ପୁଲିସ ସୂଚନା ପ୍ରକାରେ ଶୁକ୍ରବାର ରାତିରେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଓମ୍ ନାହାକ, ଲିଙ୍କୁ ନାହାକ ଓ ଅମନ ନାହାକ ହିଞ୍ଜିଳି ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଆସିଥିଲେ। ଦଣ୍ଡନାଚ ସ୍ଥଳରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର କିଛି ଯୁବକ ଉପସ୍ଥିତ ଥିଲେ। ବୁରୁପୋଡା ଅଞ୍ଚଳର ସଂପୃକ୍ତ ଯୁବକ ମାନଙ୍କ ସହ ଲିଙ୍କୁ ଓ ଅମନଙ୍କ ପରିବାର ସହ ପୂର୍ବରୁ ଶତୃତା ଲାଗି ରହିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଣ୍ଡନାଚ ସ୍ଥଳରେ ଉପସ୍ଥିତ ଥିବା ବୁରୁପୋଡା ଅଞ୍ଚଳର ୪ ଜଣ ଯୁବକ ଲିଙ୍କୁ ଓ ଅମନ ସହ ଝଗଡା କରିବା ସହ ହଠାତ୍ ଆକ୍ରମଣ କରିଥିଲେ। ଆକ୍ରମଣରେ ଲିଙ୍କୁ ଓ ଅମନ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଦୁହେଁ ଘରକୁ ଫେରିଥିଲେ। ଶନିବାର ସନ୍ଧ୍ୟାରେ ଲିଙ୍କୁ ଓ ଅମନ ଦୁହେଁ ମିଶି ଓମଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ। ତୁ କାହିଁକି ବୁରୁପୋଡା ଅଞ୍ଚଳର ଯୁବକ ମାନଙ୍କୁ ଆମର ପରିଚୟ ପ୍ରଦାନ କରିଥିଲୁ ବୋଲି କହିବା ସହ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ ବୋଲି ଓମଙ୍କ ମାଆ ସବିତା ନାହାକ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨୯୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲିଙ୍କୁ ଓ ଅମନ ଦୁହେଁ ମିଶି ବବୁଲ ନାହାକଙ୍କୁ ଆକ୍ରମଣ କରିଥିଲେ ବୋଲି ବବୁଲଙ୍କ ମାଆ ସୁନି ନାହାକ ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଆଉ ଏକ କେସ ନଂ- ୨୯୩/୨୫ ରେ ମାମଲା ରୁଜୁ ହୋଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
