
ବ୍ରହ୍ମପୁର : ଆସନ୍ତା 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତ କରିବେ। ଏହି ଗସ୍ତ ପାଇଁ ରଙ୍ଗେଈଲୁଣ୍ଡା ଏୟାରଷ୍ଟ୍ରିପଠାରେ ସଭାସ୍ଥଳ ଚିହ୍ନଟ କରାଯାଇଛି। ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ଓଡିଶା ପୋଲିସ ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆ ସଭାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସଭାସ୍ଥଳରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସଭାର ରୂପରେଖ, ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଏବଂ ଜନଗହଳି ନିୟନ୍ତ୍ରଣ ଉପରେ DGP ଯୋଗେଶ ବାହାଦୁର ଖୁରାନିଆ ଓ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଲୋଚନା କରିଛନ୍ତି। ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଦକ୍ଷିଣାଞ୍ଚଳ ଆଇ.ଜି ନୀତି ଶେଖର, ବ୍ରହ୍ମପୁର ଏସ.ପି ଶ୍ରବଣା ବିବେକ ଏମ, ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ ସିଂହ, ଏବଂ ବିଇ.ଏମ.ସି କମିଶନର ପ୍ରଥମେଶ ରାଜଶିର୍କେ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ଜନଗହଳି ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। DGP କହିଛନ୍ତି ଯେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ପ୍ରାୟ ତିନି ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି।
ପୂର୍ବରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ BJD ସରକାରଙ୍କ ଏକ୍ସପାୟରୀ ହେବା କଥା କହିଥିଲେ ଏବଂ ନୂତନ ସରକାର ଆସିଲେ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ସେହି କଥା ରଖି ପ୍ରଧାନମନ୍ତ୍ରୀ ଗସ୍ତ କରୁଛନ୍ତି। ଏହା ତାଙ୍କର ସପ୍ତମ ଓଡିଶା ଗସ୍ତ। ସେ ଓଡିଶାକୁ, ବିଶେଷ କରି ଗଞ୍ଜାମ ଜିଲ୍ଲାକୁ ବହୁତ ଭଲ ପାଆନ୍ତି ଏବଂ ଏହାକୁ ‘ମିନି ସୁରଟ’ କିମ୍ବା ‘ମିନି ଗୁଜୁରାଟ’ ବୋଲି କହିଥାନ୍ତି।
ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଛି। ସେ ଆଶା କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି। ଏହି ଗସ୍ତ ଏକ ନୂଆ ପରିକଳ୍ପନା ସୃଷ୍ଟି କରିବ ବୋଲି ମନ୍ତ୍ରୀ ବିଶ୍ୱାସ କରୁଛନ୍ତି।