
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପିଏମଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଭାବରେ ପରିଦର୍ଶନରେ ଆସିଥିବା ବେଳେ ପ୍ରଥମେ ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ପିଲାଙ୍କ ପାଠପଢା ସହିତ ଖାଦ୍ୟ ଗ୍ରହଣ ବିଷୟରେ ବୁଝିଥିଲେ ।ପରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଲାଇବ୍ରେରୀ କକ୍ଷ, ସାଇନ୍ସ ଲ୍ୟାବ, ସ୍ମାର୍ଟ କ୍ଲାସ ରୁମ୍, ବୁଲି ଦେଖିବା ସହିତ ମନ୍ତ୍ରୀ ପିଲାମାନଙ୍କ ସହିତ ଆଲୋଚନା ବେଳେ କିଛି ସାଧାରଣ ପ୍ରଶ୍ନ ସହିତ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ନାମ ପଚାରିବାରୁ ପିଲାମାନେ ସଠିକ୍ ଉତ୍ତର ଦେବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।
ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶ୍ରେଣୀଗୃହରେ ପାଠ ପଢ଼ାଉଥିବା ସମୟରେ ମନ୍ତ୍ରୀ ପିଲାଙ୍କ ପାଖରେ ବସି ପାଠପଢ଼ାର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ।ସାଇନ୍ସ ଲ୍ୟାବରେ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ପ୍ରୋଜେକ୍ଟ ଦେଖିବା ସହିତ ସ୍କୁଲ ପରିବେଶ ଦେଖି ମନ୍ତ୍ରୀ ବେଶ୍ ଖୁସି ହୋଇଥିଲେ । ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ପିଏମଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁବେର ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଏହି ବିଦ୍ୟାଳୟ ପାଇଁ ଏକ ଖେଳ ପଡିଆ ନିର୍ମାଣ, ଡାଇନିଂ ହଲ,ଅର୍ଦ୍ଧନିର୍ମିତ ହୋଇ ପଡିଥିବା ବିଦ୍ୟାଳୟ ଗୃହର ସମ୍ପୂର୍ଣ୍ଣ ନିର୍ମାଣ ସହିତ ପିଏମଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟକୁ ଏକ ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ନିମନ୍ତେ ମୋ ସ୍କୁଲର ସଭାପତି ସୁଶାନ୍ତ କୁମାର ଜେନା ଦାବି କରିଥିଲେ ।