
ନୟାଗଡ଼(ନିସର୍ତ୍ତ) : ଓଡିଶାର ପ୍ରଥମ ମହିଳା ସ୍ୱାସ୍ଥ୍ୟମନ୍ତ୍ରୀ ରୂପେ ସୁଖ୍ୟାତି ଅର୍ଜନ କରିଥିବା ମହାନ ଜନସେବିକା ରାଣୀ ମାଆ ବସନ୍ତ ମଞ୍ଜରୀ ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ରଣପୁର ମହୋତ୍ସବ ‘ଅର୍ଜୁନ-୨୦୨୬’ର ପଞ୍ଚମ ତଥା ଅନ୍ତିମ ସନ୍ଧ୍ୟାରେ ଅନୁଷ୍ଠିତ ସଭାକାର୍ଯ୍ୟ,ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ନୀଳଗିରିର ରାଜଜେମା ତଥା ରଣପୁରର ରାଜମାତା ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କ ଐତିହାସିକ କୀର୍ତ୍ତି ଯୁବ ସମାଜଙ୍କୁ ସଦୈବ ସୂର୍ଯ୍ୟସମ ମାର୍ଗ ଦର୍ଶନ କରିବ । ୧୧୭ ଏକର ପରିମିତ ନିଜର ଗ୍ରୀଷ୍ମ କାଳୀନ ନିବାସ ଓ ଜମିକୁ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସାପାଇଁ ଦାନ କରିବା,ଗଡ଼ଜାତ ସମ୍ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କରିବା ତଥା ସ୍ଥାନୀୟ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ଛାତ୍ରୀମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଭାବେ ବିଦ୍ୟାଳୟ ନିର୍ମାଣ ତାଙ୍କୁ ଅମରତ୍ବ ପ୍ରଦାନ କରିଛି ।
ପ୍ରତିଦିନ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବିପୁଳ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ସାହିତ୍ୟସଭାରେ ଓଡିଶାର ଗୌରବରାଜିକୁ ପୁନଃ ସ୍ମରଣ କରାଇଥିବା କବି ଏବଂ କବୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥଲା ।
ମଞ୍ଚରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ,କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ତଥା ଲୋକପ୍ରିୟ ଅଭିନେତା ମାନନୀୟ ଶ୍ରୀଯୁକ୍ତ ଆକାଶ ଦାସ ନାୟକ,ବ୍ରହ୍ମଗିରି ବିଧାନସଭା କ୍ଷେତ୍ରର ବିଧାୟିକା ମାନନୀୟା ଶ୍ରୀମତୀ ଉପାସନା ମହାପାତ୍ର,ପୁରୀ ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ମାନନୀୟ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ଅନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ ।

ମହୋତ୍ସବର ଅନ୍ତିମ ଦିବସରେ ଓଡିଶାର ଅନେକ ସୁପ୍ରତିଷ୍ଠିତ କଳାକାର ମାନେ ମହୋତ୍ସବ ମଞ୍ଚରେ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରିଥଲେ ।
ମେଲୋଡ଼ି କ୍ୱିନ୍ ଦିପ୍ତିରେଖା ପାଢ଼ୀଙ୍କ ଟିମ୍ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ନିଜର ସଙ୍ଗୀତ ପରିବେଷଣ କରି ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲେ।
ପରିଶେଷରେ ମହାତ୍ସବ କମିଟିର ଅଧ୍ୟକ୍ଷା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ,ଏହି ପଞ୍ଚ ଦିବସୀୟ ‘ଅର୍ଜୁନ-୨୦୨୬’କୁ ସାଫଲ୍ୟ ମଣ୍ଡିତ କରିଥିବା ସମସ୍ତ ମହାନୁଭବ ଅତିଥିଗଣ,ସ୍ଥାନୀୟ ନେତୃବୃନ୍ଦ,ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟାବୃନ୍ଦ, ପ୍ରଶାସନ,ବିଭିନ୍ନ ବିଭାଗର ଅଧିକାରୀଗଣ,ସାମ୍ବାଦିକ ବନ୍ଧୁ,ରାଜ୍ଯ ଏବଂ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ବ୍ୟବସାୟୀ,ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା,ଖ୍ୟାତନାମା କଳାକାର ବୃନ୍ଦ,ସ୍ଥାନୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀ ସର୍ବୋପରି ସମସ୍ତ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ନିମନ୍ତେ ଆନ୍ତରିକ କୃତଜ୍ଞତା ଜଣାଇବା ସହିତ କାର୍ଯ୍ୟକ୍ରମକୁ ଉଦଯାପିତ କରିଥଲେ ।
