ଟାଟା ଷ୍ଟିଲ ଫାଉଣ୍ଡେସନର ‘ଚେଞ୍ଜମେକର୍ ଆୱାର୍ଡ଼’ ରେ ସମ୍ମାନୀତ ହେଲେ ରଙ୍ଗେଇଲୁଣ୍ଡାର ଆଲୋକ ସାସମଲ

newyr25

ବ୍ରହ୍ମପୁର, ୧୫/୦୧ : ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଝାଡ଼ଖଣ୍ଡର ଜାମସେଦପୁର ଠାରେ ଆୟୋଜିତ ଯୁବ ସମାରୋହ ‘ ଧ୍ଵନି ‘ ରେ ପ୍ରଶଂସା ସାଉଣ୍ଟିଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ଫୁଲଟା ଗାଁ ର ଆଲୋକ ସାସମଲ। ପରିବେଶ ସଂରକ୍ଷଣ, ବୃକ୍ଷରୋପଣ ଓ ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ସଚେତନତା ସୃଷ୍ଟି କରି ସେ ଚେଞ୍ଜମେକର ଆୱାର୍ଡ଼ ରେ ପୁରସ୍କୃତ ହୋଇଛନ୍ତି।

ଚଳିତମାସ ୧୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବ୍ୟାପୀ ଚାଲିଥିବା ‘ ଧ୍ଵନି ‘ ସମାରୋହରେ ତାଙ୍କୁ ଦିଆଯାଇଛି ଏହି ପୁରସ୍କାର। ଆଞ୍ଚଳିକ ସ୍ତରରେ ଥିବା ବିକାଶ ମୂଳକ ଆହ୍ବାନର ସାମନା କରିବା ତଥା ଶିକ୍ଷା, ସ୍ଵାସ୍ଥ୍ୟ, ଦକ୍ଷତା ଓ ନୂତନ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଯୁବକଯୁବତୀ ମାନଙ୍କ ଭୂମିକାକୁ ଆହୁରି ସୁଦୃଢ଼ କରିବା ସହ ଏଥିପାଇଁ ସେମାନଙ୍କୁ ସଶକ୍ତ କରିବା ହେଉଛି ” ଧ୍ଵନି” ସମାରୋହର ଲକ୍ଷ୍ୟ। ୨୦୧୭ ମସିହାରୁ ଆରମ୍ଭ କରାଯାଇଥିବା ଏହି ଅନନ୍ୟ କାର୍ଯ୍ୟକ୍ରମରେ ଏଯାବତ୍ ୧୫୦୦ରୁ ଉର୍ଦ୍ଧ୍ବ ଯୁବକଯୁବତୀ ସାମିଲ ହୋଇ ସାମାଜିକ ପରିବର୍ତ୍ତନର ସୁତ୍ରଧର ସାଜି ପାରିଛନ୍ତି।

ସୁସ୍ଥ ଜୀବନଶୈଳୀ ଉପରେ ସଚେତନତା ସୃଷ୍ଟି କରି ସୁସ୍ଥ ସମାଜ ଗଠନ ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ୧୯ ବର୍ଷୀୟ ଆଲୋକ। ପରିବାରର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନଥିଲେ ବି, ସମାଜ ପାଇଁ କିଛି କରିବା ଲକ୍ଷ୍ୟରେ ନିଜର ଦୃଢ଼ମନ ନେଇ ଆଗେଇ ଚାଲିଛନ୍ତି ଯୁକ୍ତ ଦୁଇ ପଢୁଥିବା ଏହି ଯୁବକ। ସ୍ଥାନୀୟ ପିଲାମାନଙ୍କୁ ଟ୍ୟୁସନ ପଢ଼ାଇବା ସହ କିଶୋରାବସ୍ଥାରେ ସନ୍ତୁଳିତ ଖାଦ୍ୟ ଗ୍ରହଣ ଓ ସୁସ୍ଥ ଅଭ୍ୟାସ ଆପଣାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରି ଆସୁଛନ୍ତି ଆଲୋକ। ୨୦୨୩ ମସିହାରେ ଟାଟା ଷ୍ଟିଲ ଫାଉଣ୍ଡେସନର “ରିସ୍ତା” ପ୍ରକଳ୍ପ ଅନ୍ତର୍ଗତ “ସାଥିୟା” ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଲିଙ୍ଗଗତ ସମାନତା, ବାଲ୍ୟ ବିବାହ ବିରୋଧ ଓ ଋତୁସ୍ରାବ ସ୍ବଚ୍ଛତା ଆଦି ବିଷୟରେ ନିଜ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟି ଉଦାହରଣ ପାଲଟିଛନ୍ତି ସେ।

ଏହି ସବୁ କ୍ଷେତ୍ରରେ ନିଜର ନିରନ୍ତର ଉଦ୍ୟମ ପାଇଁ ସେ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟଙ୍କ ଠାରୁ ଗ୍ରହଣ କରିଛନ୍ତି “ଚେଞ୍ଜ୍ ମେକର” ଆୱାର୍ଡ଼। ଚଳିତ ବର୍ଷର ଧ୍ଵନି ସମାରୋହରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରୁ ଅନେକ ଯୁବକ ଯୁବତୀ ସାମିଲ ହୋଇଥିବା ବେଳେ ଓଡ଼ିଶାର ଗୋପାଳପୁର, କଳିଙ୍ଗନଗର, ମେରାମଣ୍ଡଳୀ, ସୁକିନ୍ଦା ଆଦି ଅଞ୍ଚଳରୁ ୧୪୦ରୁ ଉର୍ଦ୍ଧ୍ବ ଯୁବକଯୁବତୀ ଅଂଶଗ୍ରହଣ କରିଥଲେ।

Leave A Reply

Your email address will not be published.