୭୭ ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ…

newyr25


ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ଯାଣ ମଣ୍ଡପଠାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେବା ନେଇ ଏକ ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି. କୀର୍ତ୍ତି ଓ୍ବାସନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ବିସ୍ତୃତ ବିବରଣୀ ପାଠ କରିଥିଲେ ।
ଚଳିତ ବର୍ଷରେ ପାଳିତ ହେବାକୁ ଥିବା ଏହି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ଜ୍ଞାନ ପରିପୃଷ୍ଟ କରିବା ପାଇଁ ଓଡିଆ ବକ୍ତୃତା, ଓଡିଆ ପ୍ରବନ୍ଧ, ଦେଶାତ୍ମବୋଧ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିୟୋଗିତା ନିଜ ନିଜ ବ୍ଳକ୍ ରେ ବ୍ଲକ୍ ଶିକ୍ଷାଧିକାରୀମାନେ ଆଯୋଜନ କରାଇ ୧୯ ତାରିଖ ସୁଦ୍ଧା ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କ ନାମ ତାଲିକା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅଧ୍ଯକ୍ଷ, ସରକାରୀ ବିଜ୍ଞାନ ମହାବିଦ୍ଯାଳୟ, ଛତ୍ରପୁରଙ୍କ ନିକଟକୁ ପ୍ରେରଣ କରିବା ନିମନ୍ତେ ସ୍ଥିର କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ଯାର୍ଥୀ ମାନେ ଯେଭଳି ସମସ୍ତ ପ୍ରତିଯୋଗିତାରେ ଯୋଗଦାନ କରିପାରିବେ ଏହା ସୁନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ରହ୍ମପୁର ଏବଂ ଆଞ୍ଚଳିକ ନିର୍ଦ୍ଦେଶକ, ଉଚ୍ଚ ଶିକ୍ଷା ବିଭାଗଙ୍କୁ ଅନୁରୋଧ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ୨୧, ୨୨ ଓ ୨୪ ତାରିଖ ଦିନ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ଅନୁଷ୍ଠିତ ହେବ ।
ଏହି ଜାତୀୟ ଉତ୍ସବଟି ଛତ୍ରପୁର ସ୍ଥିତ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଅନୁଷ୍ଠିତ ହେବ । ଏଥି ସକାଶେ ଚଳିତ ମାସ ୨୨ ତାରିଖ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଏବଂ ୨୪ ତାରିଖ ଦିନ ପୂର୍ବାହ୍ନ ୮ ଘ. ସମୟରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ମୁଖ୍ୟ ଅତିଥି ପ୍ୟାରେଡ଼ରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ସକାଳ ଘ.୭.୧୫ମି. ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଜାନୁୟାରୀ ୨୫/୨୬ ତାରିଖ ସଂଧ୍ୟା ସମୟରେ ସରକାରୀ ପ୍ରତିଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ, ସମସ୍ତ ବ୍ୟାଙ୍କ ଏବଂ ସହରର ଦୋକାନ ବଜାରରେ ଆଲୋକ ସାଜସଜ୍ଜା କରିବାପାଇଁ ଅନୁରୋଧ କରାଯାଇଛି । (ଋଷିକୂଲ୍ୟା) ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଛତ୍ରପୁରଠାରେ ଅପରାହ୍ନ ଘ.୩.୦୦ମି. ସମୟରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ସେଦିନ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ଓ ଗଣ ମାଧ୍ୟମ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ । ୨୬ ତାରିଖ ସଂଧ୍ୟା ଘ.୦୬.୦୦ମି. ସମୟରେ ଛତ୍ରପୁର ରିକାପଲ୍ଲୀସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ଯାଣ ମଣ୍ଡପ ଠାରେ ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ କାର୍ଯ୍ୟ ଦକ୍ଷତା ପ୍ରୋତ୍ସାହନ କରିବା ସକାଶେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ସ୍ବାସ୍ଥ୍ୟ ବିଭାଗ, ସଂସ୍କୃତି ବିଭାଗ, ଶିକ୍ଷା ବିଭାଗ, କ୍ରୀଡାବିତ୍, ସ୍ବେଚ୍ଛାସେବୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି ।
ଉକ୍ତ ବୈଠକରେ ଶିବାଶିଷ ବରାଳ, ଉପ ଜିଲ୍ଲାପାଳ ଛତ୍ରପୁର, ପ୍ରୋବେସନାରୀ ଆଇ.ଏ.ଏସ୍. ମ୍ରିଣାଳିନୀ ରାଠୋର , ଅଧିକାରୀ, ବୁଦ୍ଧିଜୀବୀ, ବିଦ୍ୟାଳୟ ଓ ମହା ବିଦ୍ୟାଳୟର ମୁଖ୍ୟ, ଗଣ ମାଧ୍ୟମର ପ୍ରତିନିଧିଗଣ, ଏସ ବି ଆଇ ବ୍ୟାଙ୍କର ଶାଖା ପରିଚାଳକ, ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବ୍ୟାବସାୟିକ ସଂଘର ମୁଖ୍ୟ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.