
ଉମରକୋଟ/ରାଇଘର, ୧୬/୦୧ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଦୀର୍ଘଦିନ ଧରି ଚାଲିଆସୁଥିବା ବ୍ୟାପକ ଛତୁଆ ଦୁର୍ନୀତିକୁ ନେଇ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ରାଇଘର ତପନ କଲ୍ୟାଣ ମଣ୍ଡପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଲନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅନିୟମ ବିରୋଧରେ କଂଗ୍ରେସ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବା ସହ ଘଟଣାର ନିଷ୍ପକ୍ଷ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛି।
ସାମ୍ବାଦିକ ସମ୍ମିଲନୀରେ ପୂର୍ବତନ ଜିଲ୍ଲା ସଭାପତି ତଥା ବିଧାୟକ ଭୁଜବଳ ମାଝୀ ଏବଂ ଟାଣୁଆ କଂଗ୍ରେସ ନେତା ସନରାଜ ଗଣ୍ଡ ଉପସ୍ଥିତ ରହି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ବ୍ଲକର ଗର୍ଭବତୀ ମହିଳା, ଶିଶୁ ଏବଂ କିଶୋରୀ ବାଳିକାମାନଙ୍କୁ ଦିଆଯାଉଥିବା ଛତୁଆ ଅତ୍ୟନ୍ତ ନିମ୍ନମାନର। ଅନେକ କ୍ଷେତ୍ରରେ ଏହି ଛତୁଆର ବୈଧତା ତାରିଖ (Expiry Date) ସରିଯାଇଥିଲେ ମଧ୍ୟ ତାହା ବଣ୍ଟନ କରାଯାଉଛି, ଯାହା ମା’ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି।
କଂଗ୍ରେସ ନେତୃବୃନ୍ଦ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ଦୁର୍ନୀତି ପଛରେ ଆଇସିଡିଏସ ବିଭାଗର କିଛି କର୍ମଚାରୀ ଏବଂ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମଧ୍ୟରେ ଏକ ଅପବିତ୍ର ମଧୁଚନ୍ଦ୍ରିକା ରହିଛି। ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀ ପୂର୍ବରୁ ସାଧାରଣ ଛପର ଘରେ କାର୍ଯ୍ୟ କରୁଥିଲେ, ମାତ୍ର କିଛି ଦିନ ମଧ୍ୟରେ ସେମାନେ କିଭଳି ତିନି ମହଲା ବିଶିଷ୍ଟ କୋଠାଘର ନିର୍ମାଣ କରିବାକୁ ସକ୍ଷମ ହେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅର୍ଥର ଉତ୍ସ କ’ଣ, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।
ଏହି ସମ୍ପୂର୍ଣ୍ଣ ମାମଲାରେ ତୁରନ୍ତ ଏକ ନିଷ୍ପକ୍ଷ ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ଯଦି ଆଗାମୀ ଦିନରେ ପ୍ରଶାସନ ଏଦିଗରେ କୌଣସି ଠୋସ୍ ପଦକ୍ଷେପ ନ ନିଏ, ତେବେ କଂଗ୍ରେସ ପକ୍ଷରୁ ରାଇଘର ରାଜପଥ ଅବରୋଧ କରାଯିବା ସହ ବ୍ୟାପକ ଜନ ଆନ୍ଦୋଳନ କରାଯାଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଏହି ସମ୍ମିଲନୀରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ।_