
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅନ୍ତର୍ଗତ ଏମପିଭି – ୨୬ ଗାଁ ନିକଟରେ ୧୦ ଫୁଟର ମୁକୁଳା କୂଅରେ ପଡିଥିବା ଭାଲୁକୁ ବନବିଭାଗ ଉଦ୍ଧାର କରିଛି । ଖାଦ୍ୟ ଅନ୍ୱେଷଣରେ ଆସି କୂଅ ଭିତରେ ପଡ଼ିଥିଲା ଭାଲୁ । ସୂଚନା ଅନୁଯାୟୀ ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥିବା ବେଳେ ଗ୍ରାମର ବିରେନ ବିଶ୍ୱାସଙ୍କ ବାରିପଟେ ଥିବା କୂଅରେ ପଡିଯାଇଥିଲା । କୂଅଟି ଗଭୀର ଥିବାରୁ ଭାଲୁ ଟି ବାହାରକୁ ବାହାରି ନପାରି ଚିତ୍କାର କରୁଥିଲା । ଶୁକ୍ରବାର ସକାଳୁ ସକାଳୁ ଗାଁ ଲୋକ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ ।
ଖବର ପାଇଁ କାଲିମେଳା ରେଞ୍ଜର ବିଜୟ କୁମାର ନାୟକ, ଫରେଷ୍ଟର ମୃତ୍ୟୁଞ୍ଜୟ ସେଠୀ ଏବଂ ମାଲକାନଗିରି ସ୍ଥିତ ବନ୍ୟଜନ୍ତୁ ଉଦ୍ଧାର କାରୀ ଟିମର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭାଲୁଟି କୂଅ ଭିତରେ ଗାତ ଖୋଳି ସେଠାରେ ପଶି ରହିଥିବା ବେଳେ ଉଦ୍ଧାର କାରୀ ଦଳ କୂଅ ଉପରେ ଯନ୍ତା ଏବଂ ଜାଲ ବିଛାଇ ଜଗିବସିଥିବା ଦେଖିବାକୁ ମିଳିଥିଲା । ୫ ରୁ ୬ ଘଣ୍ଟା ଧରି କଠିନ ପରିଶ୍ରମ କରିବା ପରେ କୂଅ ଭିତରୁ ଭାଲୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଭାଲୁଟିକୁ ଜଙ୍ଗଲ ମଧ୍ୟକୁ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ଧରି କାଲିମେଳା ଫରେଷ୍ଟ ରେଞ୍ଜରେ ଏକ ଭାଲୁ ପଲ ଗାଁରୁ ଗାଁକୁ ବୁଲୁଛି , ଏଥିପ୍ରତି ବନବିଭାଗ ସଜାଗ ରହିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।