ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓ ନିସର୍ତ୍ତ ମିଡ଼ିଆ ହାଉସ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

add-all

ବ୍ରହ୍ମପୁର (ନିସର୍ତ୍ତ ନ୍ୟୁଜ୍): ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ଚରିତାର୍ଥ କରି ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ଗ୍ରାମ ପଞ୍ଚାୟତ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଏବଂ ‘ନିସର୍ତ୍ତ ମିଡ଼ିଆ ହାଉସ’ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଉତ୍ସାହୀ ଯୁବକ ସାମିଲ ହୋଇ ରକ୍ତଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସଦର ଥାନା ଅଧିକାରୀ ଆର.ଏସ. ପ୍ରଧାନ ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ରକ୍ତଦାନ ହେଉଛି ଜୀବନ ଦାନ। ସାମ୍ବାଦିକମାନେ ସମାଜର ଦର୍ପଣ ହେବା ସହିତ ଏଭଳି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଏକ ପ୍ରଶଂସନୀୟ ପଦକ୍ଷେପ। ସମ୍ମାନିତ ଅତିଥି ଭାବେ କୁକୁଡ଼ାଖଣ୍ଡି ସରପଞ୍ଚ ଶ୍ରୀମତୀ ବନ୍ଦନା ସେଠୀ, ବରିଷ୍ଠ ନାଗରିକ ମଞ୍ଚର ମୁଖ୍ୟ ଶ୍ରୀନିବାସ ରାଉଳ, ଯୁବ ନେତା ଶିବ ପ୍ରସାଦ ଦୋର ଏବଂ ରାଜ୍ୟ ସାମ୍ବାଦିକ ସଂଘର ସମ୍ପାଦକ ତଥା ନିସର୍ତ୍ତ ମିଡ଼ିଆର ସମ୍ପାଦକ ହେମଙ୍ଗ ପ୍ରସାଦ ରାଉଳ ଯୋଗ ଦେଇଥିଲେ।

ଦକ୍ଷିଣ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ପ୍ରତିଦିନ ଶହ ଶହ ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥାଏ। ବିଶେଷ କରି ଆଗକୁ ଖରାଦିନ ଆସୁଥିବାରୁ ଏହି ସମୟରେ ରକ୍ତର ଘୋର ଅଭାବ ଦେଖାଦେବାର ଆଶଙ୍କା ରହିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏମକେସିଜି ବ୍ଲଡ୍ ବ୍ୟାଙ୍କରେ ରକ୍ତର ଅଭାବକୁ ଦୂର କରିବା ପାଇଁ ଏସୟୁଜେ ପକ୍ଷରୁ ଏହି “ଗୁଣ୍ଡୁଚି ମୂଷା” ଭଳି କ୍ଷୁଦ୍ର ପ୍ରୟାସ କରାଯାଇଛି। ଆଗକୁ ମଧ୍ୟ ସଂଘ ପକ୍ଷରୁ ଏଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ସମ୍ପାଦକ ଶ୍ରୀ ରାଉଳ ସୂଚନା ଦେଇଛନ୍ତି।

ଏସୟୁଜେ ଗଞ୍ଜାମ ଜିଲ୍ଲା ଶାଖା ସଭାପତିଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରକୁ ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଜିତ କୁମାର ପଣ୍ଡା ଏବଂ କୋଷାଧ୍ୟକ୍ଷ ନୀଳାଚଳ ସାହୁ ପରିଚାଳନା କରିଥିଲେ। ଏଥିସହ ସଂଘର ସଦସ୍ୟ ସିମଞ୍ଚଳ ସାହୁ, କପିଲ ପାଢ଼ୀ, ସମୀର ରଥ, ପ୍ରଫୁଲ୍ଲ ବେହେରା, ହିମାଂଶୁ ପାଢ଼ୀ, ସିଏଚ. ମନୋଜ ପାତ୍ର, ଜି. ନାଗେଶ୍ୱର ପାତ୍ର ଓ ପି. କୃଷ୍ଣମୂର୍ତ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ସ୍ଥାନୀୟ ସ୍ୱେଚ୍ଛାସେବୀ ସପନ କୁମାର ରାଉଳ, ଇପିଲି ପୂର୍ଣ୍ଣଚନ୍ଦ୍ର ଏବଂ ଅଞ୍ଚଳର ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିର ଶେଷ ସୁଦ୍ଧା ମୋଟ ୩୦ ୟୁନିଟରୁ ଉର୍ଦ୍ଧ୍ୱ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିଲେ। ସାମ୍ବାଦିକ ସଂଘର ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.