
ପ୍ରଦୂଷିତ କରୁଛି ପୋଡ଼ା ଇଟା ଭାଟି ରାଜସ୍ବ ବିଭାଗ ଚୁପ……!
ବ୍ରହ୍ମପୁର : ଆସିକା ରାଜସ୍ୱ ବିଭାଗ ଅଧିନରେ ଆଇନ ବାଟରେ ବେଆଇନ କାମ। ପରିବେଶ ସୁରକ୍ଷା ଆଇନ ଓ ବାୟୁ ପ୍ରଦୂଷଣ ନିବାରଣ ଆଇନକୁ ଗଞ୍ଜାମ ଜିଲ୍ଲାରେ ଖୋଲାଖୋଲି ଭାବେ ଉଲଂଘନ। ସବୁ ଦେଖି ଆଖି ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ।ଉଲଂଘନ କାରୀଙ୍କ ଉପରେ ଆଇନ ଛାଟ ପକାଇବା ବଦଳରେ ସେମାନଙ୍କ ଠାରୁ ଚଳିତ ବର୍ଷ ଜୋରିମାନାବି ଆଦାୟ ହୋଇନାହିଁ। ଯାହାଫଳରେ ଏବେ ଆସିକା ବ୍ଲକ୍ରେ ଗଢ଼ି ଉଠିଛି ଅନେକ ପୋଡ଼ା ଇଟା ଭାଟି। ବ୍ଲକରେ ୪୦ରୁ ଅଧିକ ଇଟା ଭାଟି ବେଆଇନ ଭାବେ ଚାଲିଛି।ସେଥୁରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି । ଅନେକ ଚାଷ ଜମିରେ ଉର୍ବରତା ନଷ୍ଟ ହୋଇଥିବା ବେଳେ ଭାଟି ବନ୍ଦ କରିବା ବଦଳରେ ସେମାନଙ୍କୁ ସମ୍ପୂର୍ଣ୍ଣ ଛୁଟ୍ ଦିଆଯାଉଛି। ପୂର୍ବରୁ ଇଟା ପ୍ରସ୍ତୁତ କରିବା ପାଇଁ ନଦୀ ଗର୍ଭରୁ ମାଟି ଓ ବାଲି ଖନନ କରାଯାଉ ଥିଲା। ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଏହା ଉପରେ ରୋକ ଲଗାଇବା ପରେ ଚାଷ ଜମିରୁ ମାଟି ଖୋଳି ଇଟା ଭାଟି କରାଯାଉଛି। ଜମିରେ ଉର୍ବରତା ନଷ୍ଟ ହେବା ସହ ପୋଡ଼ା ଇଟା ଭାଟିରୁ ବାହାରୁଥିବା ଧୂଆଁରେ ପରିବେଷ ଦୂଷିତ ହୋଇ ଥିବାରୁ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏହା ଉପରେ ରୋକ୍ ଲଗାଇଛି । ଯୋଡ଼ା ଇଟା ଭାଟି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ
ହୋଇଛି । ଜିଲ୍ଲା ପ୍ରଶାସନ ପ୍ରଥମେ ଏହି ଭାଟି ଗୁଡିକୁ ଗତ ବର୍ଷ ଭାଙ୍ଗି ଦେଇଥିଲା।ଚଳିତ ବର୍ଷ କିନ୍ତୁ ପରବର୍ତ୍ତୀ ସମୟରେ ଆଇନ ବାଟରେ ବେଆଇନ ଭାବେ ପୁଣି ଇଟା ଭାଟିକୁ ଆରମ୍ଭ କରାଗଲା। ଆସିକା ତହସିଲ ଭାଟି ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଭାଟି କରିବାକୁ ପ୍ରୋତ୍ସାହନ ଯୋଗାଉଛି। ସେମାନଙ୍କ ଠାରୁ ଅର୍ଥ ଆଦାୟ ଆଧାରରେ ଆଦାୟ ହେଉଥିବା ଆଲୋଚନା ହେଉଛି।ଆସିକା ତହସିଲ ଅଧୀନ ରେ ଆସିକା, ବାବନପୁର, ଗୁଣ୍ଠପଡ଼ା ଜୟପୁର, ଆଲ୍ଲୀପୁର ଓ ହରିଡ଼ାପଦର ଅଞ୍ଚଳରେ ବ୍ୟାପକ ଭାବେ ଇଟାଭାଟି
କରାଯାଇଛି। ଇଟା ଭାଟି ଆରମ୍ଭ କରିବାକୁ
ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କିନ୍ତୁ ଆଇନ ଉଲଂଘନ କରି ପରିବେଶକୁ ଦୂଷିତ କରାଯାଉଥିବା ବେଳେ ପ୍ରଶାସନ ଏବେ ଚେଇଁ ଶୋଇଛି। ମିଳିଥିବା ସୂଚନା ପ୍ରକାରେ ଆସିକା, ବାବନପୁର, ଗୁଣ୍ଠପଡ଼ା ଓ ହରିଡ଼ାପଦର ଅଞ୍ଚଳରେ ଇଟାଭାଟିରୁ ଗତବର୍ଷ ୬୭, ୧୬, ୭୯୫ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୯ ଲକ୍ଷ ୮୧ ହଜାର ଟଙ୍କା ବକେୟା ରହିଛି। ଜମି ମାନଙ୍କରେ ଇଟା ଭାଟି କରିବା ଦ୍ଵାରା ପରିବେଶଷ ଦୂଷିତ ହେବା ସହ ଜମିର ଉର୍ବରତା ମଧ୍ୟ ନଷ୍ଟ ହେଉଥିବା ପରିବେଷବିତ୍ତ ମାନେ ଅଭିଯୋଗ କରୁଛନ୍ତି । ଆସିକା ଅଞ୍ଚଳରେ ପୋଡ଼ା ଇଟା ଭାଟି ବନ୍ଦ ନହେଲେ ଆଗାମୀ ଦିନରେ ପ୍ରଦୂଷଣ ବଢ଼ିବା ନିଶ୍ଚିତ। ଫେବୃଆରୀ ମାସ ଆରମ୍ଭ ହେବାକୁ ଗୋଟେ ଦିନ ବାକି ଥିଲେବି ଇଟା ଭାଟି ଯୋଗୁଁ ଭୋରରେ ପ୍ରଦୂଷଣ କଥା ନକହିଲେ ଭଲ। ଅଧିକାଂଶ ଇଟା ଭାଟିରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି। ଆସିକା ଅଞ୍ଚଳରେ ରାଜସ୍ୱ ବିଭାଗ କୋମାରେ ଥିବା ଚର୍ଚ୍ଚା ଜୋର ଧରିଛି।