ମାଙ୍କଡ଼ା ପଥର ଚୋରା ଚାଲାଣ : ଖଣି ମାଫିଆଙ୍କ ନୂଆଚାଲ

newyr25

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ଭଗବତୀ ପ୍ରସାଦ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ବେଆଇନ ଭାବରେ ମାଙ୍କଡ଼ା ପଥର ଖନନ ଏବଂ ସେଗୁଡ଼ିକ ଚୋରା ଚାଲାଣ ହେଉଥିବା ବେଳେ ଖଣି ବିଭାଗ କିନ୍ତୁ ନୀରବଦ୍ରଷ୍ଟା। ଏହି ଅଞ୍ଚଳର ଖଣି ମାଫିଆ ମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ନିଯୁକ୍ତି କରି ଓଡ଼ଗାଁ ଥାନାକୁ ନଜର ରଖିବା ସହିତ ଏହି ଖଣି ଅଞ୍ଚଳ ପାଖାପାଖି ଗୋଡ଼ିପଲ୍ଲୀ, ପଥରା, କୋମଣ୍ଡ, ରୋହିବାଙ୍କ, ବାଘୁଆ ଛକରେ ଖଣି ମାଫିଆ ମାନେ ଲୋକ ଜଗାଇ ମାଙ୍କଡ଼ା ପଥର ଚୋରା ଚାଲାଣ କରାଯାଉଛି ।ପ୍ରଶାସନ କିମ୍ବା ଅନ୍ୟ କେହି ସେମାନଙ୍କର ସୁରକ୍ଷା ବଳୟକୁ ଭେଦ କରି ଖଣିରେ ପହଞ୍ଚିବା ପୂର୍ବରୁ କିଛିକ୍ଷଣ ମଧ୍ୟରେ ପଥର କଟା ମେସିନ, ମାଙ୍କଡ଼ା ପଥର ପରିବହନ ନିମନ୍ତେ ଥିବା ଟ୍ରାକ୍ଟର , ମିନିଟ୍ରକ, ଜେସିବି ସହିତ ସମସ୍ତ ଚାଳକ ଓ ଶ୍ରମିକମାନେ ଉଭାନ ହୋଇଯାଉଛନ୍ତି । ଏବେ ଗତ ମାସେ ହେବ ବିଳମ୍ବିତ ରାତିରେ ଚୋରାରେ ପଥର ଚାଲାଣ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମାଙ୍କଡ଼ା ପଥର ଯୋଗା ଯାଉଛି । ଓଡ଼ଗାଁ ଥାନା ଅର୍ନ୍ତଗତ ବିଭିନ୍ନ ସ୍ଥାନ ବ୍ୟତୀତ ଗଞ୍ଜାମ ଜିଲ୍ଲାକୁ ବହୁ ପରିମାଣରେ ମାଙ୍କଡ଼ା ପଥର ଚୋରା ଚାଲାଣ କରାଯାଉଛି ।

ଏହି ଖବର ଗଣମାଧ୍ୟମରେ ପ୍ରକାଶ ହେବା ପରେ ଖଣି ବିଭାଗ କର୍ମଚାରୀ ମାନେ ରାତି ଅଧିଆ ଆସି ବୁଲି ଯାଇଛନ୍ତି । ହେଲେ ସେମାନେ ପହଞ୍ଚିବା ପୂର୍ବରୁ ଖଣି ମାଫିଆ ମାନେ ଖବର ପାଇ ସ୍ଥାନ ଛାଡ଼ି ପଳାଇ ଯାଇଛନ୍ତି ।ଏହି ପଥର ଖଣି କୁ ନେଇ ଅତୀତରେ ଅନେକ ବିବାଦ ଯୋଗୁଁ ଗଣ୍ଡଗୋଳ ସହିତ ଅନେକ ଜୀବନ ହରାଇବାକୁ ପଡ଼ିଛି ।ଏହି ପଥର ଖଣି ଯୋଗୁଁ ପୂର୍ବେ ପ୍ରଶାସନକୁ ନିନ୍ଦା ଅପବାଦ ଶୁଣିବାକୁ ମିଳିଛି ।ଅନେକ ରାଜନେତା ଅପଦସ୍ତ ହୋଇଛନ୍ତି ।ଏହି ପଥର ଖଣି ବିବାଦ ଯୋଗୁଁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ୩୦ ରୁ ଉର୍ଦ୍ଧ୍ବ ମାମଲା ରୁଜ୍ଜୁ କରାଯାଇଛି । ତଥାପି ଏହି ଖଣି ମାଫିଆ ମାନେ ପ୍ରଶାସନକୁ ଚାଲେଞ୍ଜ କରି ସେମାନଙ୍କ ସାମ୍ରାଜ୍ୟକୁ ବିସ୍ତାର କରି ଗୋପନରେ କିମ୍ବା ପ୍ରଶାସନର ନୀରବ ସମର୍ଥନରେ ବା ରାଜନେତାଙ୍କ ଛତ୍ରଛାୟା ରେ ଖଣିରୁ ପ୍ରତିଦିନ ଶହଶହ ଟ୍ରକ୍ ମାଙ୍କଡ଼ା ପଥର ଲୁଟ ହେବାରେ ଲାଗିଛି । ଖଣି ବିଭାଗ ଏଥିପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ ନକଲେ ଖଣି ବିଭାଗ ମଧ୍ୟ ସନ୍ଦେହ ଘେରକୁ ଆସିବ ।ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମଧ୍ୟ ଏହି ଚୋରା ପଥର ଚାଲାଣ ପ୍ରତି ଧ୍ୟାନ ଦେଲେ ଚୋରା ଚାଲାଣ ବନ୍ଦ ହେବା ସହିତ ପ୍ରକୃତିର ବୈଷମ୍ୟକୁ ରୋକା ଯାଇପାରନ୍ତା ।

Leave A Reply

Your email address will not be published.