
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରୁ ୩୫୦୦ ଟଙ୍କା ପାଉଥିବା ୧୪୩ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ପୁନଃ ଯାଞ୍ଚ ହେବା ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡିଛି।ଆସନ୍ତା ୩ମାସ ମଧ୍ୟରେ ସେମାନେ ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଗୁଡ଼ିକର ପୁନଃ ମୂଲ୍ୟାୟନ କରାଇ ନୂତନ ଦିବ୍ୟାଙ୍ଗ ପ୍ରମାଣପତ୍ର ବ୍ଲକ କାର୍ଯ୍ୟାଳୟରେ ଦାଖଲ କଲେ ପୁନର୍ବାର ସେମାନଙ୍କୁ ସ୍ଥଗିତ ଭତ୍ତା ସହିତ ନିୟମିତ ଭତ୍ତା ପ୍ରଦାନ କରାଯିବ ।ଏହି ପରିପ୍ରେକ୍ଷୀରେ ପ୍ରାୟ ୧୦ ଜଣ ହିତାଧିକାରୀ ସେମାନଙ୍କର ପୁନଃ ମୂଲ୍ୟାୟନ ଦିବ୍ୟାଙ୍ଗ ପ୍ରମାଣପତ୍ର ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଥିବାରୁ ସେମାନଙ୍କୁ ପୂର୍ବପରି ନିୟମିତ ଭତ୍ତା ପ୍ରଦାନ ନିମନ୍ତେ ଚିଠି ମାଧ୍ୟମରେ ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଯାଇଛି ।ସ୍ଥଗିତ ୧୪୩ ହିତାଧିକାରୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ଅନଲାଇନ୍ ପୋର୍ଟାଲ ରେ ଅସ୍ପଷ୍ଟ ରହିଛି । ଯଦିଓ ସମସ୍ତେ ନକଲି ଭିନ୍ନକ୍ଷମ ନୁହନ୍ତି ସେମାନେ ଅନଲାଇନ୍ ପୋର୍ଟାଲରେ ପ୍ରମାଣପତ୍ର ଦର୍ଶାଇଲେ ଭତ୍ତା ପ୍ରଦାନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।ସୂଚନା ଅନୁଯାୟୀ ୩୫୦୦ ଟଙ୍କା ଭତ୍ତା ପାଉଥିବା ସମସ୍ତ ଭିନ୍ନକ୍ଷମ ହିତାଧିକାରୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ପ୍ରେରଣ କରିବା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତ ବ୍ଲକକୁ ଚିଠି କରିଥିଲେ ।ତଦନୁଯାୟୀ ଓଡ଼ଗାଁ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ଯାଇଥିବା ତାଲିକା ଯାଞ୍ଚ ପରେ ୧୪୩ ଜଣଙ୍କ ସାର୍ଟିଫିକେଟ ପୁନଃ ମୂଲ୍ୟାୟନ ନିମନ୍ତେ ଓଡ଼ଗାଁ ବ୍ଲକକୁ ପଠାଇଥିଲେ ।