
ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥିତ କୁମୁଟିଗୁଡାଠାରେ ସ୍ଥାପିତ ‘ରେଡିଓ ମାଲ୍ୟବନ୍ତ’ ଗୋଷ୍ଠୀ ବେତାର କେନ୍ଦ୍ର ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଛନ୍ତି ପିରାମଲ ଫାଉଣ୍ଡେସନର ବରିଷ୍ଠ ଅଧିକାରୀ। ପିରାମଲ ଫାଉଣ୍ଡେସନ ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅମ୍ରିତ ଆନନ୍ଦ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରାଜାରାମ ମଲିକ ଏହି କେନ୍ଦ୍ର ପରିଦର୍ଶନ କରି ବେତାର କେନ୍ଦ୍ରର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷ କରି ଏଫଏମ ୮୯.୬ ମେଗାହର୍ଜ ମାଧ୍ୟମରେ ସ୍ଥାନୀୟ ଜନଜାତିଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିବାରୁ ଏହା ଲୋକଙ୍କ ନିକଟତର ହୋଇପାରିଛି। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଦିଗରେ ରେଡିଓ ମାଲ୍ୟବନ୍ତର ପ୍ରୟାସକୁ ସେମାନେ ପ୍ରଶଂସା କରିଛନ୍ତି।
ବଣଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳର ଗ୍ରାମବାସୀଙ୍କ ସମେତ ସହରବାସୀଙ୍କ ମନୋରଞ୍ଜନ ଓ ସୂଚନାର ଏକ ପ୍ରମୁଖ ମାଧ୍ୟମ ସାଜିଥିବା ଏହି କେନ୍ଦ୍ରର ସଫଳତାକୁ ନେଇ ଅମ୍ରିତ ଆନନ୍ଦ ବେଶ୍ ଉତ୍ସାହିତ ହୋଇଥିଲେ। ପରିଦର୍ଶନ କାଳରେ ସେ ରେଡିଓ ମାଲ୍ୟବନ୍ତର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୁଜିତ ପଟ୍ଟନାୟକ ଓ ନିର୍ଦ୍ଦେଶକ ରତ୍ନାକର ଦାଶଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଅଧିକରୁ ଅଧିକ ଜନହିତକର କାର୍ଯ୍ୟକ୍ରମ ଯୋଡ଼ିବାକୁ ପରାମର୍ଶ ଦେଇଥିଲେ। ଏହି ବେତାର କେନ୍ଦ୍ର ଯେପରି ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚି ଲୋକଙ୍କ ସ୍ୱର ସାଜିପାରିବ, ସେ ଦିଗରେ ଅଧିକ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ରେଡିଓ ମାଲ୍ୟବନ୍ତର ଏହି ଅନନ୍ୟ ସେବା ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାମାଜିକ ପରିବର୍ତ୍ତନର ଏକ ସଶକ୍ତ ମାଧ୍ୟମ ପାଲଟିଛି।