
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୨ ଜଣ କନ୍ୟାଙ୍କର ବିବାହ ସମ୍ପନ୍ନ ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆଡମ୍ବର ସହକାରେ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ୨୨ ଜଣ ଆର୍ଥିକ ଅନଗ୍ରସର ବର୍ଗର କନ୍ୟା ମାନଙ୍କୁ ସରକାରୀ ସ୍ତରରେ ବିବାହ କରାଯାଇଛି। ଏହି ସାମୁହିକ ବିବାହ ପାଇଁ ଜିଲ୍ଲାର ସ୍ଵେଚ୍ଛାସେବୀ ସଂଗଠନ ସେବାକୁ ଦାୟିତ୍ଵ ଦିଆଯାଇଛି। ସ୍ଵେଚ୍ଛାସେବୀ ସଂଗଠନ ସେବା ଦ୍ୱାରା ପଠାଣି ସାମନ୍ତ ସଂସ୍କୃତି ଭବନକୁ ଆକର୍ଷଣୀୟ ଭାବରେ ସାଜ୍ଜସଜ୍ଜା କରାଯାଇଥିଲା। ବିବାହ ପାଇଁ ୨୨ଗୋଟି ବେଦୀ ସହିତ ହୋମକୁଣ୍ଡ ଏବଂ ୨୨ ଜଣ ପୁରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ମଙ୍ଗଳ ବାଦ୍ୟରେ ନୟାଗଡ଼ ସହର ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ମାର୍ଗଦର୍ଶନରେ ଅୟୋଜିତ ଏହି ସାମୁହିକ ବିବାହ କାର୍ଯ୍ୟକ୍ରମରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଖଣ୍ଡପଡ଼ା ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ଵାଇଁ ସମ୍ମାନୀତ ଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ରେଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସମାଜ କଲ୍ୟାଣ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ, ସେବା ଅନୁଷ୍ଠାନର ସଂଜୟ କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ବରକନ୍ୟା ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ସମସ୍ତ ନବବିବାହିତ ଦମ୍ପତି ମାନଙ୍କୁ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଛି। ସେବା ଅନୁଷ୍ଠାନ ଦ୍ଵାରା ଝିଅ ପେଡ଼ି ଓ ଉପହାର ପ୍ରଦାନ କରାଯାଇଛି।
