
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ନୂତନ କାର୍ଯ୍ୟାଳୟ ଗୋଚର ଜମିରେ ନିର୍ମିତ ହୋଇଥିବାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗୀ ମୌଜାର ୧୫ ନମ୍ବର ୱାର୍ଡର ଖାତା ନମ୍ବର ୨୮୪, ପ୍ଲଟ ନମ୍ବର ୬୪୬ରେ ନିର୍ମିତ ଏହି ନୂତନ କାର୍ଯ୍ୟାଳୟ ଗୋଚର ଜମିରେ ନିର୍ମାଣ ହୋଇଥିବା ଛାତ୍ରନେତା ଦିଲୀପ ବିଶୋଇ ଅଭିଯୋଗ କରିଛନ୍ତି।ନୂତନ ଭାବରେ ନିର୍ମିତ ଏହି ଏନ୍ଏସି କାର୍ଯ୍ୟାଳୟ ରାଜ୍ୟ ରାଜପଥ ସହିତ ସିଧାସଳଖ ସଂଯୁକ୍ତ ହୋଇନଥିବାରୁ ସେଠାକୁ ଯିବାକୁ ଉପଯୁକ୍ତ ସରକାରୀ ରାସ୍ତା ନାହିଁ । ୩ଏକର ୭ ଡିସିମିଲି ଗୋଚର ଜମିରେ ନିର୍ମିତ ଏହି କୋଠାରେ ଚାରଣ ଭୂମି ସଙ୍କୁଚିତ ହେବାରୁ ଗାଈଗୋରୁ ରାସ୍ତା ଓ ବଜାରରେ ବୁଲୁଛନ୍ତି।ନୟାଗଡ଼- ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଏବଂ ଓଡ଼ଗାଁ ମୁଖ୍ୟ ବଜାରରେ ବୁଲା ଗାଈଗୋରୁଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି। ଛାତ୍ରନେତା ଦିଲ୍ଲୀପଙ୍କ କହିବା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୋଚର ଜମିରେ ସାଧାରଣ ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ଜନହିତରେ କୌଣସି ନିର୍ମାଣ କାର୍ଯ୍ୟ କରାଗଲେ ପ୍ରଥମେ ଜମିର କିସମ ପରିବର୍ତ୍ତନ କରି ସମପରିମାଣର ସରକାରୀ ଜମିକୁ ଗୋଚର ଭୂମି ଭାବରେ ଘୋଷଣା କରିବା ଆବଶ୍ୟକ ।କିନ୍ତୁ ଏଠାରେ ଏହି ନିୟମକୁ ଅନୁସରଣ କରାଯାଇନଥିବାରୁ ଅଭିଯୋଗ ହୋଇଛି। ଛାତ୍ରନେତା ଦିଲ୍ଲୀପ ଦାବି କରିଛନ୍ତି ଯେ ଶୀଘ୍ର ନିର୍ମିତ ସ୍ଥଳର କିସମ ପରିବର୍ତ୍ତନ , ସମ ପରିମାଣର ଗୋଚର ଭୂମିର ବ୍ୟବସ୍ଥା କରିବା ସହିତ କୌଣସି ବ୍ୟକ୍ତିଗତ ଜମି ପ୍ରଭାବିତ ନହୋଇ ସିଧାସଳଖ ଭାବରେ ଏହି କାର୍ଯ୍ୟାଳୟରୁ ରାଜ୍ୟ ରାଜପଥକୁ ରାସ୍ତା ସଂଯୋଗ କରାଯାଉ। ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରନଗଲେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ଛାତ୍ରନେତା ଦିଲ୍ଲୀପ ସୂଚନା ଦେଇଛନ୍ତି।
