
ପାରଳାଖେମୁଣ୍ଡି, ୨୮/୦୪: ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟଠାରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସବିତା ସୁଆର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।
ଶ୍ରୀମତୀ ସୁଆର କହିଛନ୍ତି ଯେ, ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ମହିଳାମାନଙ୍କୁ ଭାଗିଦାରୀ ଦେବା କୌଣସି ଅନୁଗ୍ରହ ନୁହେଁ, ବରଂ ଏହା ସେମାନଙ୍କର ସାମ୍ବିଧାନିକ ଅଧିକାର। ସଂସଦରେ ଆଗତ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍, ସୀମା ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ୍ ସଂଶୋଧନ ବିଲ୍ ଦେଶର ଗଣତାନ୍ତ୍ରିକ ଭବିଷ୍ୟତ ତଥା ମହିଳା ସଶକ୍ତୀକରଣ ପାଇଁ ଏକ ଐତିହାସିକ ସୁଯୋଗ ଥିଲା। ଏହି ବିଲ୍ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା।
ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ସମେତ ‘ଇଣ୍ଡି’ ମେଣ୍ଟର ସହଯୋଗୀ ଦଳ ଯଥା ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଏହି ବିଲ୍କୁ ବିରୋଧ କରି ଦେଶର ଅଧା ଜନସଂଖ୍ୟା (ମହିଳା)ଙ୍କ ସହ ବିଶ୍ୱାସଘାତକତା କରିଛନ୍ତି। ଏପରିକି ବିଜେଡି ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇଥିବାରୁ ଓଡ଼ିଶାର ମହିଳାମାନେ ଏହାକୁ କେବେବି କ୍ଷମା ଦେବେନାହିଁ ବୋଲି ସେ କହିଛନ୍ତି। ବିରୋଧୀଙ୍କ ଏଭଳି ଆଚରଣ ସେମାନଙ୍କର ମହିଳା ବିରୋଧୀ ମାନସିକତାକୁ ପଦାରେ ପକାଇଛି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଥିବା ବେଳେ ବିରୋଧୀମାନେ ଏକ ବିରାଟ ଷଡ଼ଯନ୍ତ୍ର କରି ଏହାକୁ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମହିଳାମାନଙ୍କ ଅଧିକାର ରକ୍ଷା ପାଇଁ ବିଜେପି ଏହି ମହିଳା ବିରୋଧୀ ଶକ୍ତିଙ୍କ ବିରୋଧରେ ଦୃଢ଼ତାର ସହ ଲଢ଼େଇ କରିବ।
ମହିଳାମାନଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ‘ଜନ ଆକ୍ରୋଶ ମହିଳା ପଦଯାତ୍ରା’ ଆୟୋଜନ କରାଯିବ। ଏହି ପଦଯାତ୍ରା ବୁଥ୍ ସ୍ତରରୁ ମଣ୍ଡଳ ସ୍ତର ପର୍ଯ୍ୟନ୍ତ ଚାଲିବ ଏବଂ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଜରିଆରେ ସମାଜର ସମସ୍ତ ବର୍ଗର ମହିଳାଙ୍କୁ ଏହି ଅଧିନିୟମ ବିଷୟରେ ଅବଗତ କରାଯିବ।
ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ବିଜେପି ସଭାପତି ନବକିଶୋର ସବର, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳିରାମ ମାଝୀ, ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁ ଏବଂ ସାଧାରଣ ସମ୍ପାଦିକା ସାରଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
