
ଟାଙ୍ଗରପାଲି ବିକାଶ ମଞ୍ଚର ଏକ ଦିବସୀୟ କର୍ମଶାଳା
ସୁନ୍ଦରଗଡ – ୩୦.୦୪.୨୦୨୬ ଟାଙ୍ଗରପାଲିର ସମଗ୍ର ଓ ସୁସ୍ଥିର ବିକାଶ ପାଇଁ ଏକ ନୂତନ ଆଶାର କିରଣ ଭାବେ “ଟାଙ୍ଗରପାଲି ବିକାଶ ମଞ୍ଚ” ଆତ୍ମପ୍ରକାଶ କରିଛି। ବହୁବିଧ ଅଂଶୀଦାରମାନଙ୍କୁ ଏକ ସାଧାରଣ ମଞ୍ଚରେ ଆଣି ସମସ୍ୟାର ସମାଧାନ, ସମ୍ପଦର ସୁଚିନ୍ତିତ ପରିଚାଳନା ଓ ସ୍ଥାନୀୟ ସମୁଦାୟର ସଶକ୍ତିକରଣ ନିମନ୍ତେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜଳ, ଜମି, ଜଙ୍ଗଲ ସହିତ ସାଂସ୍କୃତିକ ଧରୋହରର ସୁରକ୍ଷା ଓ ସମ୍ବର୍ଦ୍ଧନକୁ କେନ୍ଦ୍ର କରି, ଏହି ମଲ୍ଟି ଆକ୍ଟର ପ୍ଲାଟଫର୍ମ ସମୁହ ଉଦ୍ୟମର ମାଧ୍ୟମରେ ଟାଙ୍ଗରପାଲିକୁ ଉନ୍ନତିର ନୂଆ ଦିଗରେ ଆଗେଇ ନେବାକୁ ସଙ୍କଳ୍ପବଦ୍ଧ ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ରୁରାଳ ରିସୋର୍ସ ସେଣ୍ଟର (ଆଞ୍ଚଳିକ ସମ୍ବଳ କେନ୍ଦ୍ର) ଠାରେ ଟାଙ୍ଗରପାଲି ବ୍ଲକର ମଲ୍ଟି ଆକ୍ଟର ପ୍ଲାଟଫର୍ମ (ବହୁବିଧ ଅଂଶୀଦାର ମାନଙ୍କର ମଞ୍ଚ) ର ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ୮୫ ରୁ ଉର୍ଦ୍ଧ ଜଙ୍ଗଲ ଅଧିକାର କମିଟି, ବନ ସୁରକ୍ଷା ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ, କୃଷକ ସଂଗଠନ, ଯୁବକ ସଂଘ, ସାମାଜିକ ନେତା, ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ/ସଦସ୍ୟା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସେବକ ର ଅଧ୍ୟକ୍ଷ ଅମିୟକାନ୍ତ ନାଏକ ସ୍ଵାଗତ ଅଭିଭାଷଣରେ ସାମୁହିକ ସମସ୍ୟାର ସମାଧାନ ନିମନ୍ତେ ଗୋଷ୍ଠୀ ଏକତା ଓ ଗୋଷ୍ଠୀ ସଂଗଠନର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ସେବକର ସମ୍ପାଦକ ପ୍ରଦୀପ କୁମାର ବ୍ରହ୍ମ ସାର୍ବଜନୀନ ସମ୍ପତ୍ତିର ସୁପରିଚାଳନା ସହିତ ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ମତପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲିଭିଂ ଲେଣ୍ଡସ୍କେପର କୌଶିକ ୟାନାମାନ୍ଦ୍ରାମ ଯୋଗଦାନ କରି ମଲ୍ଟି ଆକ୍ଟର ପ୍ଲାଟଫର୍ମର ସଶକ୍ତିକରଣ, ସମସ୍ୟାର ଚିହ୍ନଟି କରଣ ଓ ସମାଧାନ ନିମନ୍ତେ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଥିଲେ। ସେବକ ତରଫରୁ ସ୍ନିଗ୍ଧାରାଣୀ ମହାକୁଳ ବହୁବିଧ ଅଂଶୀଦାର ସମୂହଙ୍କ ମଞ୍ଚ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ମୁଖ୍ୟ ପରିଚାଳନା କମିଟୀର କର୍ତ୍ତବ୍ୟ ଉପରେ , ବର୍ଷା ସାହୁ ଜଙ୍ଗଲ ସୁରକ୍ଷା ଓ ପରିଚାଳନା ତଥା ଅଭିଷେକ ତନ୍ତୀ ଜଳ ସଂରକ୍ଷଣ ଉପରେ ଉପସ୍ଥାପନା କରିଥିଲେ। ସେବକର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ସଭା ପରିଚାଳନା କରି ବ୍ଲକ ସ୍ତରୀୟ ସାମୁଖ୍ୟର ଭବିଷ୍ୟତ କାର୍ଯ୍ୟପନ୍ଥା ସଙ୍ଗେ ସଙ୍ଗେ ସିଡ ବଳ କ୍ୟାମ୍ପେନ, ଗ୍ରୀନ ମେମୋରୀ କ୍ୟାମ୍ପେନ, ବୃକ୍ଷ ରକ୍ଷା ବନ୍ଧନ ଓ ଗ୍ରୀଷ୍ମ ଋତୁରେ ପକ୍ଷୀ ମାନଙ୍କ ପାଇଁ ପାଣିର ବ୍ୟବସ୍ଥା ଉପରେ ଉପସ୍ଥାପନା କରିଥିଲେ। ଟାଙ୍ଗରପାଲି ବ୍ଲକର ପଶୁ ଚିକିତ୍ସକ ଡ. ଜିତେନ୍ଦ୍ର ବାରିକ ଯୋଗଦାନ କରି ପଶୁ ସମ୍ପଦର ବିକାଶ ସଙ୍ଗେ ସଙ୍ଗେ ଚାରଣ ଭୂମିର ପୁନରୁଦ୍ଧାର ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଟାଙ୍ଗରପାଲି ମଲ୍ଟି ଆକ୍ଟର ପ୍ଲାଟଫର୍ମକୁ ସର୍ବସମ୍ମତି କ୍ରମେ “ଟାଙ୍ଗରପାଲି ବିକାଶ ମଞ୍ଚ” ଭାବରେ ନାମକରଣ କରାଗଲା। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଅନ୍ନଅଭିଯାନର ଟାଙ୍ଗରପାଲି ବ୍ଲକ ସଂଯୋଜକ ଅମୀୟ ରଞ୍ଜନ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
