ସିପିଏମ ପକ୍ଷରୁ ମଇ ଦିବସ ପାଳିତ; ଶ୍ରମିକଙ୍କ ଅଧିକାର ରକ୍ଷା ପାଇଁ ଏକଜୁଟ ହୋଇ ଲଢ଼ିବାକୁ ଆହ୍ୱାନ

add-all

ବ୍ରହ୍ମୁପର : ଆଜି ସିପିଏମ ପକ୍ଷରୁ ମଇ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ବିଶେଷ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଥି ଅଳି କିଶୋର ପଟ୍ଟନାୟକ ମଇ ଦିବସକୁ ବିଶ୍ୱ ଶ୍ରମଜୀବୀ ମଣିଷର ଦାସତ୍ୱରୁ ମୁକ୍ତି ପାଇଁ ଲଢେ଼ଇର ଏକ ସ୍ମାରକୀ ଦିବସ ବୋଲି ଅଭିହିତ କରିଥିଲେ। ୧୮୮୬ ମସିହାରେ ଚିକାଗୋ ସହରରେ ହୋଇଥିବା ରକ୍ତକ୍ଷୟି ସଂଗ୍ରାମ ହିଁ ଶ୍ରମିକମାନଙ୍କୁ ୮ ଘଣ୍ଟା କାମ କରିବା, ସଂଘ ଗଢିବା ଏବଂ ସର୍ବନିମ୍ନ ମଜୁରୀ ଓ ପେନସନ ଭଳି ସାମାଜିକ ସୁରକ୍ଷାର ଅଧିକାର ପ୍ରଦାନ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ।

ତେବେ ବର୍ତ୍ତମାନର ସମୟରେ ସରକାର ଓ ମାଲିକମାନେ ଏକାକାର ହୋଇ ଶ୍ରମିକଙ୍କ ଏହି ଐତିହାସିକ ଅଧିକାରକୁ ଛଡ଼ାଇ ନେବାକୁ ଚକ୍ରାନ୍ତ କରୁଥିବା ସେ ଅଭିଯୋଗ କରିଥିଲେ। ଶ୍ରମ ଆଇନରେ ପରିବର୍ତ୍ତନ, ୧୨ ଘଣ୍ଟିଆ କାର୍ଯ୍ୟକାଳ ଏବଂ ସ୍ଥାୟୀ ନିଯୁକ୍ତି ବଦଳରେ ଅସ୍ଥାୟୀ ନିଯୁକ୍ତି ମାଧ୍ୟମରେ ଶ୍ରମିକଙ୍କୁ ପୁଣି ଥରେ ‘ଗୋତି ଶ୍ରମିକ’ କରିବାକୁ ପ୍ରୟାସ ଚାଲିଛି। ଏଣୁ ଆଜିର ଏହି ଦିବସ କେବଳ ଆନନ୍ଦ ଉଲ୍ଲାସର ଦିନ ନୁହେଁ, ବରଂ ଶ୍ରମିକମାନଙ୍କ ପାଇଁ ଏକଜୁଟ ହୋଇ ଲଢେ଼ଇ କରିବାର ସଂକଳ୍ପ ଦିବସ। ଜାତି, ଧର୍ମ ଓ ଭାଷା ନିର୍ବିଶେଷରେ ସମସ୍ତ ଶ୍ରମଜୀବୀ ମଣିଷ ନିଜର ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ମିଳିତ ଭାବେ ଲଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ସଭାରେ ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର, ମଧୁ ବେହେରା, ଗୋକୁଳ ତ୍ରିପାଠୀ, ନିଳ ମାଧବ ରଥ, ସୁବୋଧ ସାହୁ, AVS ପାତ୍ର, ଡ଼ି ମୋହନ ରାଓ, ପ୍ରଶାନ୍ତ ଶତପଥୀ, ମୋହନ ରାଓ ଓ ରାଜରାଓ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସିଟୁ ଜିଲ୍ଲା ସଭାପତି ପ୍ରତାପ ଚୌଧୁରୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.