ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ହରିଜନଙ୍କ ଅବସର: ଭାବବିହ୍ୱଳ ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ

add-all

କୋଟପାଡ଼/କୋରାପୁଟ: (ବସନ୍ତ ପେଗଡ଼) କୋରାପୁଟ ଜିଲ୍ଲା କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଶ୍ରୀଯୁକ୍ତ ବାଞ୍ଛାନିଧି ହରିଜନ ଗତ ଏପ୍ରିଲ ୩୦ ତାରିଖରେ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ବିଦାୟରେ ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମହଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ହରିଜନ ୧୯୮୬ ମସିହାରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଦିଗସଲଫା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ସେ ବିଭିନ୍ନ ବିଦ୍ୟାଳୟରେ ଅତି ନିଷ୍ଠାର ସହ ଶିକ୍ଷାଦାନ କରିବା ପରେ, ୨୦୧୯ ମସିହାରେ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ସର୍ବଦା ଶିକ୍ଷାର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଥିଲେ। ତାଙ୍କ ପରି ଜଣେ ସ୍ନେହୀ ଏବଂ ପରୋପକାରୀ ଅଧିକାରୀଙ୍କ ଅବସର ଶିକ୍ଷା ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

nis-ad
Leave A Reply

Your email address will not be published.