
କେତେ ସୁରକ୍ଷିତ ଆମ ଜଙ୍ଗଲ ପଶୁ ସମ୍ପଦ, ଏକ ବଡ଼ ପ୍ରଶ୍ନବାଚୀ
ବ୍ରହ୍ମପୁର ପୋଲିସଜିଲ୍ଲା ଜରଡା ଥାନା ପୋଲିସ ଓ ଚିକିଟି ଫାଣ୍ଡି ପୋଲିସ ଧନବାଡ ଆଙ୍କୁଲି ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା ବିକ୍ରି କରିବା ନେଇ ଯୋଜନା କରୁଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଚିକିଟି ଏସଡିପିଓଙ୍କ ନେତୃତ୍ୱରେ ଜରଡା ଥାନା ପୋଲିସ ଓ ଚିକିଟି ଫାଣ୍ଡି ପୋଲିସ ମିଳିତ ଭାବେ ଆଙ୍କୁଲି ଜଙ୍ଗଲରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅଭିଯୁକ୍ତ ମାନେ ପୋଲିସ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ।ଏହାର ସୁଯୋଗ ନେଇ ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା ।ପୋଲିସ ଅନ୍ୟ ତିନି ଅଭିଯୁକ୍ତଙ୍କୁ କାବୁ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଥାନା ଅନ୍ତର୍ଗତ ଚାଚାଡଖଟା ଗାଁର ଗୋବିନ୍ଦ ଚନ୍ଦ୍ର ନାୟକ, ବରଡ ଗାଁର ଗଞ୍ଜୁ ରଇତ ଓ ମଙ୍ଗରାଜପୁର ଗାଁର ରିତୁନ ବଡମୁଣ୍ଡି । ଅଭିଯୁକ୍ତ ମାନେ ଉକ୍ତ ଜଙ୍ଗଲରେ ଚମଡା ବିକ୍ରି କରିବା କୁ ଆଣିଥିବା ଖବର ପାଇଥିଲା ପୋଲିସ ।ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଚିତାବାଘର ଚମଡ଼ା, ଦୁଇଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଛୁରୀ ଓ ଲୁହା ରୋଡ଼ ଜବତ ହୋଇଛି। ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଜରଡା ଥାନା ପୋଲିସ । ତେବେ କଲରାପତରିଆ ବାଘକୁ ଅଭିଯୁକ୍ତ ମାନେ କେଉଁଠି ହତ୍ୟା କରିଥିଲେ ଓ କିଏ କିଏ ହତ୍ୟା କରିଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ବୋଲି ସମ୍ବାଦିକା ସମ୍ମିଳନୀରେ କହିଛନ୍ତି ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ଏମ୍ । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।ତେବେ ବନ ବିଭାଗ ଏତେ ବଡ଼ ଘଟଣା ସମ୍ପର୍କରେ ଟେର ଭି ପାଇ ପାରି ନ ଥିଲା ।ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାପାଇଁ ବନ ବିଭାଗ ରହିଥିବା ବେଳେ ବନ ବିଭାଗର ଅପାରଦର୍ଶିତା , ଯୋଗୁଁ ବହୁ ନିରୀହ ବନ୍ୟଜନ୍ତୁ ଶିକାରୀଙ୍କ ଶିକାର ହେଉଛନ୍ତି ।ଯାହାକି ବନବିଭାଗର ଦାୟିତ୍ୱ ହୀନତାକୁ ଦର୍ଶାଉଛି ।
