
ମାଲକାନଗିରି, ୩ ଜୁଲାଇ: ପଞ୍ଚାୟତ କାର୍ଯ୍ୟାଳୟ ସରକାରୀ କାର୍ଯ୍ୟାଳୟ ହୋଇଥିବାରୁ ସାଧାରଣତଃ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହି ଜନସାଧାରଣଙ୍କୁ ସେବା ଯୋଗାଇବା କଥା। କାର୍ଯ୍ୟାଳୟରେ ଜିଆରଏସ୍, ପିଇଓ, ଆକାଉଣ୍ଟାଣ୍ଟ କିମ୍ବା ଅନ୍ୟ କୌଣସି ଦାୟିତ୍ୱପ୍ରାପ୍ତ କର୍ମଚାରୀଙ୍କ ଉପସ୍ଥିତି ନିଶ୍ଚିତ କରିବା ଆବଶ୍ୟକ ବୋଲି ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ପ୍ରିତା କୁମାର ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି।
କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ଥିବା ଅଭିଯୋଗ ଆସିଛି। ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ସଡ଼କ କଡ଼ରେ ଅବସ୍ଥିତ ଟନେଲ କ୍ୟାମ୍ପ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଦିନ ପ୍ରାୟ ୧୨ଟା ୩୬ ମିନିଟ୍ ସମୟରେ ଗଣମାଧ୍ୟମ ପ୍ରତିନିଧି ଗସ୍ତ କରିଥିବା ବେଳେ କାର୍ଯ୍ୟାଳୟର ସମସ୍ତ କକ୍ଷରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟାଳୟରେ କୌଣସି କର୍ମଚାରୀ ଉପସ୍ଥିତ ନଥିବାରୁ ସେବା ପାଇଁ ଆସୁଥିବା ସାଧାରଣ ଲୋକ ହଇରାଣ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଗସ୍ତ ସମୟରେ କୌଣସି ଅଧିକାରୀଙ୍କ ବାହ୍ୟ ଗସ୍ତ ସମ୍ପର୍କିତ ସୂଚନା, କାର୍ଯ୍ୟାଳୟ ବନ୍ଦ ରହିବାର କାରଣ କିମ୍ବା ଜରୁରୀ ଯୋଗାଯୋଗ ନମ୍ବର ସୂଚନା ଫଳକରେ ପ୍ରଦର୍ଶିତ ହୋଇନଥିବା ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ଫଳରେ କୌଣସି କର୍ମଚାରୀ କିମ୍ବା ଜନପ୍ରତିନିଧିଙ୍କ ସହ ସିଧାସଳଖ ଯୋଗାଯୋଗ ସମ୍ଭବ ହୋଇନଥିଲା।
ଏ ସମ୍ପର୍କରେ ଚିତ୍ରକୋଣ୍ଡା ବିଡିଓ ଶ୍ରୀମତୀ ପ୍ରିତା କୁମାରଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ, ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ରହିବା କଥା ନୁହେଁ ଏବଂ କୌଣସି ନା କୌଣସି ଦାୟିତ୍ୱପ୍ରାପ୍ତ କର୍ମଚାରୀ ସର୍ବଦା କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଆବଶ୍ୟକ।
ମାଲକାନଗିରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିଜୁଳି, ନେଟୱାର୍କ, ବ୍ଲକ୍ କାର୍ଯ୍ୟାଳୟର କାମ, ବ୍ୟାଙ୍କ କାମ କିମ୍ବା ବୈଠକ ଆଦି କାରଣ ଦର୍ଶାଇ କାର୍ଯ୍ୟାଳୟ ବନ୍ଦ ରହୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ବିଭିନ୍ନ ପଞ୍ଚାୟତର କାର୍ଯ୍ୟପ୍ରଣାଳୀ ଓ କର୍ମଚାରୀଙ୍କ ଉପସ୍ଥିତି ସମ୍ପର୍କିତ ତଥ୍ୟ ପର୍ଯ୍ୟାୟକ୍ରମେ ସାମ୍ନାକୁ ଆଣିବାକୁ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି।
ସରକାରୀ କାର୍ଯ୍ୟାଳୟରେ ନିୟମିତ ଉପସ୍ଥିତି, ସ୍ୱଚ୍ଛତା ଓ ଜନସେବା ନିଶ୍ଚିତ କରିବା ଦିଗରେ ପ୍ରଶାସନ କିପରି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
