
ଭୁବନେଶ୍ୱର, ୪ ଅଗଷ୍ଟ: ଭାରତୀୟ ମଜଦୁର ସଂଘ ସହ ସମ୍ବଦ୍ଧ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟର ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଆଶା କର୍ମୀମାନଙ୍କ ବିଭିନ୍ନ ସମସ୍ୟା ଓ ୮ ଦଫା ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।
ପ୍ରତିନିଧି ଦଳରେ ଭାରତୀୟ ମଜଦୁର ସଂଘର ସଂଗଠନ ମନ୍ତ୍ରୀ ଲକ୍ଷ୍ମଣ ଦାସ, ରାଜ୍ୟ ସଦସ୍ୟ ଶ୍ରୀନିବାସ ରାଓ, ଅଖିଳ ଭାରତୀୟ ଆଶା କର୍ମୀ ମହାସଂଘର ସଭାନେତ୍ରୀ ତିମିମା ଖରା, ଓଡ଼ିଶା ରାଜ୍ୟ ଆଶା କର୍ମୀ ମହାସଂଘର କାର୍ଯ୍ୟକାରୀ ସଭାନେତ୍ରୀ କମଳା ବେହେରା, ମାଲକାନଗିରିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତାପତୀ ବିଶ୍ୱାସଙ୍କ ସମେତ ସୁଚିତା ସେଠୀ, ମୁକ୍ତା ବିଶୋଇ ଓ ଶାନ୍ତିଲତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିନିଧି ଦଳ ପକ୍ଷରୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ନିୟମିତ ଦରମା ପ୍ରଦାନ, ଗର୍ଭବତୀ ଆଶା କର୍ମୀଙ୍କୁ କେବଳ ୬,୦୦୦ ଟଙ୍କା ସହାୟତା ପରିବର୍ତ୍ତେ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ସମ୍ପୂର୍ଣ୍ଣ ପ୍ରସୂତିକାଳୀନ ବେତନ, ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ନିକଟରେ ‘ଆଶା ଗୃହ’ ନିର୍ମାଣ, ଅନଲାଇନ୍ କାର୍ଯ୍ୟ ସୁବିଧା ପାଇଁ ପ୍ରତ୍ୟେକ ଆଶା କର୍ମୀଙ୍କୁ ୫ଜି ମୋବାଇଲ୍ ଫୋନ୍ ଯୋଗାଣ, ବକେୟା ପ୍ରୋତ୍ସାହନ ରାଶି ଓ ଟ୍ରେଜେରି ସମ୍ବନ୍ଧୀୟ ସମସ୍ୟାର ଶୀଘ୍ର ସମାଧାନ, ସମସ୍ତ ଜିଲ୍ଲାରେ ଆଶା କିଟ୍ ବଣ୍ଟନ ଏବଂ ଅନ୍ୟାନ୍ୟ ଦାବି ଉପସ୍ଥାପନ କରାଯାଇଥିଲା।
ଏହି ସମସ୍ତ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ସକାରାତ୍ମକ ମନୋଭାବ ପ୍ରକାଶ କରି ଯଥାଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ, ପୁରୀ ଜିଲ୍ଲାରେ ଆଶା କିଟ୍ ବଣ୍ଟନ ଆରମ୍ଭ ହୋଇସାରିଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଖୁବ୍ ଶୀଘ୍ର ବଣ୍ଟନ କରାଯିବ। ଏହା ସହିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ୍) ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ପୁନର୍ବାର ବୈଠକ କରି ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯିବ ବୋଲି ମଧ୍ୟ ସେ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିଲେ।
