
ହିଞ୍ଜିଳିକାଟୁ : ଶନିବାର ଭୋରରେ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ (ଓଡି୦୨ ବିବି ୦୧୩୨) ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣକ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମର ପଙ୍କଜ ସେଠି (୪୫) । ପ୍ରକାଶ ଯେ, ଶନିବାର ଭୋରରୁ ଏକ ଗୁରୁତର ଅସୁସ୍ଥ ରୋଗୀଙ୍କୁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରି ଫେରୁଥିବା ସମୟରେ ଗଣ୍ଡଳା ଗ୍ରାମ ନିକଟରେ ଆମ୍ବୁଲାନ୍ସ ଚାଳକ ବାସୁଦେବ ସେଠିଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଯାଉଥିବା ମହିଳାଙ୍କୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ୧୦୮ ଆମ୍ବୁଲାନ୍ସ ଓଡିଶା ଦାୟିତ୍ବରେ ଥିବା ଜିକିତ୍ସା ହେଲଥ କେୟାର ଲିମିଟେଡ (ଜେଡ ଏଚ ଏଲ) କମ୍ପାନୀ ପକ୍ଷରୁ ଶ୍ରମ ଆଇନର ସମ୍ପୁର୍ଣ୍ଣ ଉଲଂଘନ କରାଯାଇ ଆମ୍ବୁଲାନ୍ସ ଚାଳକ, ସହାୟକ ଓ ଫାର୍ମାସିଷ୍ଟ ମାନଙ୍କୁ ୨୪ ଘଣ୍ଟିଆ ଡ୍ୟୁଟି ଦିଆଯାଉଛି । ଗୋଟିଏ ଦିନ ଡ୍ୟୁଟି ପରେ ଆଉ ଗୋଟିଏ ଦିନ ପାଇଁ ଛୁଟି ଦିଆଯାଉଛି । ଯାହା ଫଳରେ ରାତ୍ର ଅନିଦ୍ରା ରହୁଥିବାରୁ ବହୁ ସମୟରେ ଏଭଳି ଛୋଟ ବଡ ଦୂର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ରୋଗୀଙ୍କୁ କିମ୍ବା ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଗତ ୨୦୧୩ ମସିହା ମେ ମାସରେ ଓଡିଶା ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଥିଲା । ବହୁ ସମୟରେ ସଂପୃକ୍ତ ୧୦୮ ଆମ୍ବୁଲାନ୍ସ ଗୁଡ଼ିକର ଯାନ୍ତ୍ରିକ ତ୍ରୁଟି ରହିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଯୋଗୁଁ ବହୁ ସମୟରେ ଦୂର୍ଘଟଣା ଘଟୁଛି ବୋଲି ୧୦୮ ଆମ୍ବୁଲାନ୍ସର କିଛି କର୍ମଚାରୀ କହିଛନ୍ତି । ଏ ନେଇ କ୍ଳଷ୍ଟର ଲିଡର ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କୁ ପଚାରିବାରୁ ସେ କୁହନ୍ତି କମ୍ପାନୀ ନିୟମାନୁସାରେ ୨୪ ଘଣ୍ଟିଆ ଡ୍ୟୁଟି ଦିଆଯାଉଛି, କେବଳ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହେଲେ ଲଗାତାର ଭାବେ ଅଧିକ ୨/୪ ଦିନ ପାଇଁ ଡ୍ୟୁଟି ଦିଆଯାଉଛି । ଏ ନେଇ ଜେଡ ଏଚ ଏଲ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଦିପକ ଶ୍ରୀବାସ୍ତବଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ପ୍ରକାଶ ଥାଉକି, ପୂର୍ବରୁ ଏଭଳି ସମାନ ଘଟଣା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୮ ଆମ୍ବୁଲାନ୍ସ ଗୁଡିକ ଦୂର୍ଘଟଣାଗସ୍ତ ହୋଇ ବହୁ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି ।