
ବ୍ରହ୍ମପୁର //ଗୋପାଳପୁର,(୨୩/୭) : ବେଆଇନ ଅସ୍ୱୀକୃତ ଭାବେ ଗ୍ୟାସ ସିଲିଣ୍ଡର ଗଛିତ ରଖି ବ୍ୟବସାୟ କରିବା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଗୋପାଳପୁର ଥାନା ପୁଲିସ । ସେମାନେ ହେଲେ ରାମଚନ୍ଦ୍ରପୁର ଗ୍ରାମର ଦୈତାରୀ ନାୟକ ଏବଂ ବ୍ରହ୍ମପୁର ଜରଡ଼ା ବଙ୍ଗଳା ସ୍ଥିତ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ମାଲିକ ତିଲୋଚନ ପାଣିଗ୍ରାହୀ । ସେମାନଙ୍କ ନିକଟରୁ ମୋଟ ୬୫ଟି କମର୍ସିଆଲ୍ ଏବଂ ଘରୋଇ ଗ୍ୟାସ ସିଲିଣ୍ଡର ସହ ଡେଲିଭରି କାଯ୍ୟରେ ବ୍ୟବହାର ହୋଇଥିବା ଅଟୋ (ଓ.ଆର୍.୦୭.ଏକ୍ସ.୦୬୬୧)କୁ ଜବତ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି । ସୂଚନାଯୋଗ୍ୟ କି ଗତକାଲି ସକାଳ ୧୦:୨୦ ସମୟରେ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ରହୁଥିବା ଦୈତାରି ନାୟକଙ୍କ ଘରେ ଗ୍ୟାସ ବିସ୍ଫୋରଣ ହୋଇ କାନ୍ଥ ଭୁଶୁଡ଼ିବା ସହ ବାପା ଦେବରାଜ ନାୟକ ଏବଂ ସାନ ଭାଇ ଅଶୋକ ନାୟକ ଗୁରୁତର ଆହତ ହୋଇଥିଲେ । ପରେ ଉଭୟ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା । ଏଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ମିଳିଥିବା ସୂଚନା ପ୍ରକାରେ ଗତ ଗୁରୁବାର ଦିନ ମେ ଫେୟାର ହୋଟେଲରେ ୨୪ଟି ସିଲିଣ୍ଡର ଡେଲିଭରି ଥିଲା । କିନ୍ତୁ ଗାଡ଼ି ଟି ଖରାପ ହୋଇଯିବାରୁ ଗ୍ୟାସ ଭର୍ତ୍ତି ଥିବା ହାଣ୍ଡିଗୁଡିକୁ ଦୈତାରି ନିଜ ଘରେ ରଖିଥିବା ବେଳେ ଗତକାଲି ସକାଳେ କୌଣସି ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଏଭଳି ବିସ୍ଫୋରଣ ହୋଇଥିଲା । ଭେପର୍ କ୍ଲାଉଡ଼ ଏକ୍ସପୋଜନ୍ ଅଫ ଏଲପିଜି ,ବନ୍ଦଥିବା କୋଠରୀରେ ଗ୍ୟାସହାଣ୍ଡି ଲିକେଜ ଥିବା ଯୋଗୁଁ ବିସ୍ଫୋରଣ ହୋଇଥିବା ଏଏଫଓ ସନ୍ତୋଷ ପାଣିଗ୍ରାହୀ କହିଥିଲେ । ଖବର ପାଇ ଘଟଣା ସ୍ଥଳେ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ତୁରନ୍ତ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ସେହିପରି ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମଙ୍କ ସମେତ ସଦର ଏସଡିପିଓଶିବ ଶଙ୍କର ମହାପାତ୍ର, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ଘଟଣା ସ୍ଥଳେ ପହଞ୍ଚି ସ୍ଥିତ ପରିଖିବା ସହ ତଦନ୍ତ କରି ଫେରିଥିଲେ
ସୂଚନାଯୋଗ୍ୟ କି ଦୈତାରି ନାୟକ ଇଣ୍ଡିଆନ ଗ୍ୟାସରେ ଦୀର୍ଘ ୧୦ବର୍ଷ ହେବ ଡେଲିଭରି ବୟ ଭାବେ କାର୍ଯ୍ୟ କରି ଆସୁଥିଲେ । ପ୍ରତି ଦିନ ସେ ବ୍ରହ୍ମପୁର ନିଦାନ ପାଖରେ ଥିବା ଇଣ୍ଡିଆନ୍ ଗ୍ୟାସ ଡିପରୁ ୩୦ରୁ ଉର୍ଦ୍ଧ୍ବ ଗ୍ୟାସ ହାଣ୍ଡିକୁ ନେଇ ଡେଲିଭରି କରିବାକୁ ଯାଉଥିଲେ। ଯଦି ଜଣେ ଗ୍ରାହକଙ୍କ ଡେଲିଭରି ହୋଇ ପାରିବ ନାହିଁ ତେବେ ଉକ୍ତ ଗ୍ୟାସ୍ ହାଣ୍ଡିକୁ ଅଫିସରେ ଆଣି ରଖିବା ବଦଳରେ ଦୈତାରି ରାମଚନ୍ଦ୍ରପୁର ସ୍ଥିତ ନିଜ ଘରକୁ ନେଇ ରଖୁଥିଲେ । ଯାହାକୁ ଇଣ୍ଡିଆନ ଗ୍ୟାସ୍ ମାଲିକ ତିଲୋଚନ ବିରୋଧ ନ କରି ଡେଲିଭରି ବୟ ଦୈତାରିକୁ ରଖିବାକୁ ଅନୁମତି ଦେଇଥିଲେ ବୋଲି ଶୁଣିବାକୁ ମିଳୁଛି । ସେବେ ଠାରୁ ସେ ବିନା ଲାଇସେନ୍ସରେ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରିବା ଆରମ୍ଭ କରିଥିଲେ । ତେଣୁ ପୁଲିସ ନିଜ ଆଡୁ ଏକ ମାଲଲା ରୁଜୁ କରି ବେଆଇନ ଭାବେ ଗ୍ୟାସ ଗଚ୍ଛିତ ରଖିବା ଡେଲିଭରି ବୟ ଦୈତାରୀ ନାୟକ ଏବଂ ତାଙ୍କୁ ଅନୁମତି ଦେଇଥିବା ବ୍ରହ୍ମପୁର ଜରଡ଼ା ବଙ୍ଗଳା ସ୍ଥିତ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ମାଲିକ ତିଲୋଚନ ପାଣିଗ୍ରାହୀ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ କହିଛନ୍ତି । ବର୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।