ଚର୍ଚ୍ଚାରେ ୫ନଂ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକାଙ୍କ ବିବାଦ, ୪ ଦିନ ହେଲା ଏନ୍ଏସିର ବିଭିନ୍ନ କେନ୍ଦ୍ର ବନ୍ଦ, ପ୍ରତିକାର ପାଇଁ ସାଧାରଣରେ ଦାବି

ବୁଗୁଡ଼ା : ସଂପ୍ରତି ବୁଗୁଡ଼ା ଏନ୍ଏସି ଅଧିନସ୍ଥ ୫ନଂ ଓ୍ବାର୍ଡର ଅଙ୍ଗନୱାଡି କେନ୍ଦ୍ରରେ ସମ୍ପୃକ୍ତା କର୍ମୀ ଓ ସହାୟିକାଙ୍କ ବିବାଦକୁ ନେଇ ୪ ଦିନ ହେଲା କୋମଳମତି ଶିଶୁଙ୍କ ସ୍ବାର୍ଥକୁ ବଳି ପକାଇ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଏଥିରେ ସ୍ଥାନୀୟ ପ୍ରଶାସନ ଏବଂ ଅଙ୍ଗନୱାଡି କର୍ମୀ ସଂଘର ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ବିବାଦ ବହୁ ପୁରୁଣା ହୋଇଥିଲେ ବି ପ୍ରଶାସନିକ ଅପାରଗତା ଯୋଗୁଁ ଅଦ୍ଯାବଧି ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନ ପାରି ଅଙ୍ଗନୱାଡି କେନ୍ଦ୍ର ଗୁଡିକ ବନ୍ଦ ରହିବା ଭଳି ଅସ୍ବଭାବିକ ପରିସ୍ଥିତି ଉପୁଜିଛି । ବୁଗୁଡ଼ା ଏନଏସି ଅନ୍ତର୍ଗତ ୧୮ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟରୁ ଅନେକ କେନ୍ଦ୍ରର ନିଜସ୍ବ ଗୃହ ନଥିବା ବେଳେ ସେଥିରୁ କେତେକ କେନ୍ଦ୍ର ନିକଟସ୍ଥ ବିଦ୍ୟାଳୟ ଗୁଡିକରେ ଚାଲୁଛି ଏବଂ ଆଉ କେତେକ କେନ୍ଦ୍ର ଅଙ୍ଗନୱାଡି କର୍ମୀ କିମ୍ବା ସହାୟିକାଙ୍କ ଘରେ ଚାଲୁଛି । ତେବେ ଓ୍ବାର୍ଡ ନଂ ୫ର ଅଙ୍ଗନୱାଡି କେନ୍ଦ୍ର ସଂପୃକ୍ତା କର୍ମୀଙ୍କ ଘରେ ଗତ ୨୦୦୯ ମସିହାରୁ କେନ୍ଦ୍ର ଚାଲି ଆସୁଥିବା ବେଳେ କିଛି ମାସ ହେବ କର୍ମୀ ଓ ସହାୟିକାଙ୍କ ମଧ୍ୟରେ କୌଣସି କାରଣରୁ ମନାନ୍ତର ଘଟି ବିବାଦର ସୂତ୍ରପାତ ଘଟିଥିଲା । ଏହା ପରେ କିଛି ଦିନ ପାଇଁ ମୁଖ୍ଯ ସଡକ ବିଦ୍ୟାଳୟକୁ ଅଙ୍ଗନୱାଡି କେନ୍ଦ୍ରଟି ସ୍ଥାନାନ୍ତର ହୋଇଥିଲେ ହେଁ ଶିଶୁଙ୍କ ଅଭିଭାବକମାନେ ଏଥିରେ ଅସହମତ ହେବାରୁ ପରବର୍ତ୍ତୀ ସମୟରେ ପୁଣି ସେହି ଅଙ୍ଗନୱାଡି କର୍ମୀଙ୍କ ଘରକୁ କେନ୍ଦ୍ର ଫେରି ଯାଇଥିଲା ବେଳେ ଏହାକୁ ବିରୋଧ କରି ସହାୟିକା ଜଣକ କର୍ମୀଙ୍କ ଘରକୁ ନ ଯାଇ ସ୍କୁଲରେ ଆସି ବସିବା ସହ ମାସିକ ପ୍ରାପ୍ଯ ହାସଲ କରୁଥିଲେ । ଏନେଇ ସହାୟିକା ଜଣକ ଅଙ୍ଗନୱାଡି କର୍ମୀ ସଂଘର ସହାୟତା ଲୋଡିବା ପରେ ଏଥିରେ ହସ୍ତକ୍ଷେପ କରି ସଂଘ ପକ୍ଷରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାଦର ସମାଧାନ ପାଇଁ ପ୍ରଶାସନକୁ ନିବେଦନ କରିବା ସହ ଅନ୍ଯଥା ସେମାନେ କେନ୍ଦ୍ର ଗୁଡିକୁ ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ । ତେବେ ପ୍ରଶାସନର ଉଦାସୀନତା ଯୋଗୁଁ ବିବାଦର ସମାଧାନ ହୋଇ ପାରି ନ ଥିଲା ବେଳେ ସଂଘ ସହ ଜଡିତ ନ ଥବା କେତେକ ଅଙ୍ଗନୱାଡି କର୍ମୀଙ୍କ ବ୍ଯତୀତ ଅନ୍ୟ ସମସ୍ତ କର୍ମୀ ସେମାନଙ୍କ କେନ୍ଦ୍ର ଗୁଡିକୁ ଗତ ୧୨ ତାରିଖରୁ ବନ୍ଦ ରଖିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁ ମାନଙ୍କ ସ୍ବାର୍ଥକୁ ଅଣଦେଖା କରି ଚାଲିଥିବା ଏହି ପ୍ରହସନ ପାଇଁ ଦାୟୀ କିଏ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେଣୁ, ଏହି ଅଭାବନୀୟ ପରିସ୍ଥିତିର ଦୂରୀକରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।